ମାଲକାନଗିରି ( ଏଟିଆର ବ୍ୟୁରୋ): ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଏଗୁଣି ଗାରେଡି ଭଳି ଅନ୍ଧ ବିଶ୍ୱାସକୁୂ ଭରଷା କରୁଛନ୍ତି । ଦୀପାବଳୀ ଠାରୁ ଏଠାରେ ଗୁଣିଗାରେଡି ଭଳି ଅନ୍ଧ ବିଶ୍ୱାସକୁ ନେଇ ବିଭିନ୍ନ ଅଘଟଣ ଦେଖିବାକୁ ମିଳୁଛି । କୋଉଠି ଗୁଣି ଗାରେଡି କରି ନରବଳୀ ଦିଆଯିବା ଖବର ଆସିଲାଣି ତ ଆଉ କେଉଁଠି ଝଡା ଫୁଙ୍କା କରିବାକୁ ବାବା ଗ୍ରାମରେ ପହଞ୍ଚି ହଟହଟା ହେଉଛନ୍ତି ।
ଆଜି ମଧ୍ୟ ସେମିତି ଏକ ଖବର ମାଲକାନଗିରି ଜିଲ୍ଲାରୁ ଆସିଛି । ମାଥିଲି ଥାନା ଅନ୍ତର୍ଗତ ମାଳିଗୁଡା ଠାରେ ବାପା ପୁଅଙ୍କୁ ହତ୍ୟା କରି ସେମାନଙ୍କ ଶବକୁ ନଦୀ କୂଳରେ ପିଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମୃତ ବାପା ପୁଅଙ୍କୁ ଗୁଣିଗାରେଡି ସନ୍ଦେହ କରି ଗ୍ରାମରୁ ତାଙ୍କୁ ବାସନ୍ଦ କରାଯାଇଥିଲା । ସେମାନେ ଏକ ଘରିକିଆ ହୋଇ ରହୁଥିଲେ । ଗତ ଶୁକ୍ରବାର ବାପ ପୁଅ ଗାଁକୁ ଫେରୁଥିବା ବେଳେ ସେମାନଙ୍କୁ କେହି ହତ୍ୟା କରି ମାଳିଗୁଡା ନଦୀ କୂଳରେ ଫୋପାଡି ଦେଇଛନ୍ତି ।
ସେହିଭଳି ଏଇ ନିକଟରେ ଦୀପାବଳି ବେଳେ ମଧ୍ୟ ଆଉ ଏକ ଘଟଣା ସାମ୍ନାକୁ ଆସିଥିଲା । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝିର ସାଲେପୁର ଗ୍ରାମରେ ନରବଳି ଦିଆହୋଇଥିବା ଅଭିଯୋଗ ହୋଇଥିଲା । ତୁରେକେଲା ବ୍ଲକ ମାଣ୍ଡୋଲ ଗାଁର ଭୂଜବଲ ପରାଭଭୂଏ ଏହି ଦୀପାବଳିରେ ସାଲେପୁର କାଳୀପୂଜା ଦେଖିବାକୁ ଆସିଥିବା ବେଳେ ସେଠାରେ ତାଙ୍କୁ ଗୁରୁ ବାବା ଚୌବନ କିଶୋର ମାଝୀ ବଳି ଦେଇଥିବା ଅଭିଯୋଗ ହୋଇଛି । ଗତ ବୁଧବାର ଏକ ପରିତ୍ୟକ୍ତ କୂଅରୁ ଭୁଜବଲଙ୍କ ମୃତଦେହ ମିଳିବା ପରେ ଏନେଇ ଭୁଜବଲଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହାକୁ ନରବଳି ନୁହେଁ ବୋଲି କହିଥିବା ବେଳେ ତଥାପି ହତ୍ୟାର ପ୍ରକୃତ କାରଣ ଏଯାବତ ଅସ୍ପଷ୍ଟ ରହିଛି ।