ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢିବାକୁ ଲାଗୁଥିବା ବେଳେ ସେ ସବୁ ଘଟଣା ଉପରେ ସରକାର କି ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହାକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଥାଏ । ତେବେ ଆଜି ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ବିଜେଡି ସଭ୍ୟ ଉମାକାନ୍ତ ସାମନ୍ତରାୟଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ରାଜ୍ୟରେ ମହିଳା କିମଶନଙ୍କ ନିକଟରେ ୧୦,୧୩୦ଟି ମହିଳାଙ୍କ ବିରୋଧରେ ହୋଇଥିବା ମାମଲା ବିଚାରାଧୀନ ରହିଛି ।
ସେଥିରୁ ୨,୭୨୯ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୨,୦୫୧ ମାମଲାର ଶୁଣାଣି ଶେଷ ହୋଇଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ଯୌତୁକ ନିର୍ଯ୍ୟାତନା ପାଇଁ ୭୭୦, ଘରୋଇ ହିଂସା ପାଇଁ ୧,୮୭୮, ମିଥ୍ୟା ବିବାହ ପ୍ରତିଶୃତି ୧୦୩, ଯୌତୁକଜନିତ ମୃତ୍ୟୁ ୪୩, ଅପହରଣ ୭୮, ଯୌନ ନିର୍ଯ୍ୟାତନା ୮, କାର୍ଯ୍ୟସ୍ଥଳରେ ଅସଦାଚରଣ ୬୦, ମହିଳା ଅଧିକାର ଉଲ୍ଲଂଘନ ୨୯୬ ଏବଂ ଅସଦାଚରଣ ୧୩୨ଟି ମାମଲା ରୁଜୁ ହୋଇଥିବା ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ।