ଜାମ୍ମୁକାଶ୍ମୀର (ଏଟିଆର ବ୍ୟୁରୋ): ସବୁବେଳେ ଆତଙ୍କୀଙ୍କ ନଜରରେ ରହିଥିବା ପୁଲୱାମାରେ ଆଜି ପୁଣି ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ଆତଙ୍କୀ ନିହତ ହୋଇଥିବା ବେଳେ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଆଜି ଏକ ବିଶେଷ ସୂତ୍ରରୁ ସେନାକୁ ଖବର ମିଳିଥିଲା କି ପୁଲୱାମାର ପମ୍ପୋର ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବା । ଖବର ପାଇ ସେନା ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା ।
ଏହି ସମୟରେ ଲୁଚି ରହିଥିବା ଆତଙ୍କୀ ଅଚାନକ ସେନା ଉପରକୁ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ । ପ୍ରତିଜବାବରେ ସୁରକ୍ଷା ବଳ ମଧ୍ୟ ଆତଙ୍କୀଙ୍କ ଉପରକୁ ଗୁଳି ଚାଳନା କରିଛନ୍ତି । ଜଣେ ଆତଙ୍କୀଙ୍କୁ ସୁରକ୍ଷା କର୍ମୀ ନିହତ କରିଥିଲେ । ଆତଙ୍କୀଙ୍କ ଗୁଳିରେ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଥିଲେ । ସୂଚନାଯୋଗ୍ୟ ସେଠାରେ ଆହୁରି ଆତଙ୍କୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ନିହତ ହୋଇଥିବା ଆତଙ୍କୀ ଜୈଶର ଲିଙ୍କ ବୋଲି ଜଣା ପଡିିଛି ।