କଟକ(ଏଟିଆର ବ୍ୟୁରୋ): ଆଇପିସିର ଦଫା ୩୭୫ ଅନୁସାରେ ପୀଡିତାଙ୍କ ସହିତ ଘଟିଥିବା ନିର୍ଦ୍ଦିଷ୍ଟ ଯୌନ ନିର୍ୟାତନା ପ୍ରସଂଗକୁ ଦୁଷ୍କର୍ମ ଅପରାଧ ପରିସରଭୁକ୍ତ କରାଯାଇଥିବାବେଳେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଘଟଣା ଏଥି ମଧ୍ୟରେ ଅନ୍ତର୍ଭୁକ୍ତ ନୁହେଁ। ଧାରା ୩୭୫ ଅନୁସାରେ, ପୀଡ଼ିତାଙ୍କ ଇଚ୍ଛା ବିରୋଧରେ, ତାଙ୍କ ବିନା ଅନୁମତିରେ, ମୃତ୍ୟୁ କିମ୍ବା ଆଘାତ ଦେବାର ଭୟ ଦେଖାଇ ନିଆଯାଇଥିବା ସମ୍ମତି, ଜଣେ ବ୍ୟକ୍ତି ନିଜକୁ ପୀଡିତାଙ୍କ ସ୍ବାମୀ ବୋଲି ଭୁଲ ବିଶ୍ବାସ ଜନ୍ମାଇ ନେଇଥିବା ସମ୍ମତି, ଠିକ୍ ମାନସିକ ସ୍ଥିତି ନଥିବା ବେଳେ ବା ନିଶାଗ୍ରସ୍ତ ଥିବାବେଳେ ଓ କ’ଣ ଘଟିବାକୁ ଯାଉଛି ବୁଝିବିାକୁ ସକ୍ଷମ ନଥାଇ ଥିବା ପରିସ୍ଥିତିରେ ନିଆଯାଇଥିବା ସମ୍ମତି, ୧୮ ବର୍ଷରୁ କମ୍ ବାଳିକାର ସମ୍ମତି, ସମ୍ମତି ଜଣାଇବା ସ୍ଥିତିରେ ନଥିବା ବେଳେ ନିଆଯାଇଥିବା ସମ୍ମତି ଏହି ଅପରାଧ ପରିସରଭୁକ୍ତ। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ଏହି ପରିସର ମଧ୍ୟରେ ଆସୁନାହିଁ।
ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଦୁଷ୍କର୍ମ ମାମଲାରେ ଜାମିନ ପ୍ରସଂଗରେ ଶୁଣାଣି କରି ଏପରି ରାୟ ଦେଇଛନ୍ତି। ସୂଚନା ଅନୁସାରେ ଜଣେ ଅନୁସୂଚିତ ଜନଜାତି ବର୍ଗର ପୀଡ଼ିତା ପଟାଙ୍ଗି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ, ଆବେଦନକାରୀ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି। ଏ ନେଇ ପୁଲିସ ମାମଲା ରୁଜୁ କରି ଆବେଦନକାରୀଙ୍କୁ ଗିରଫ କରିଥିଲା। କୋରାପୁଟ-ଜୟପୁର ଦୌରାଜଜ୍ ତଥା ସ୍ପେଶାଲ ଜଜ୍ ଆବେଦନକାରୀଙ୍କ ଜାମିନ ଆବେଦନ ୨୦୧୯, ଡିସେମ୍ବର ୧୧ରେ ଖାରଜ କରିଥିଲେ। ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମମଲାର ଶୁଣାଣୀ କରି ହାଇକୋର୍ଟ ପକ୍ଷରୁ ଏଭଳି ରାୟ ପ୍ରକାଶ ପାଇଛି ।