ପଟ୍ଟାମୁଣ୍ଡାଇ(ଏଟିଆର ବ୍ୟୁରୋ): ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୁମ୍ଭୀର ଗଣନା ଶେଷ ହୋଇଛି । କୁମ୍ଭୀର ବିଶାରଦ ଡା ସୁଧାକର କରଙ୍କ ନେତୃତ୍ୱରେ ଏହି ଗଣନା କରାଯାଇଥିଲା । ମୋଟ ୪ଟି ରେଞ୍ଜରେ ଏହି ଗଣନା କରାଯାଉଥିଲା । ଚଳିତ ବର୍ଷ କୁମ୍ଭୀର ଗଣନାରେ ୨୩ ଟି ଟିମ୍ ସାହାଯ୍ୟରେ ୫୪ଟି ପର୍ଯ୍ୟାୟରେ କୁମ୍ଭୀର ଗଣନା କରାଯାଇଥିଲା ।
କନିକା ରେଞ୍ଜରେ ସବୁ ଠାରୁ ଅଧିକ ୧୩୮୫ଟି କୁମ୍ଭୀର ଥିବା ବେଳେ ରାଜନଗରରେ ୨୬୦ଟି, ମହାକାଳପଡାରେ ୭୫ଟି ଓ ଗହିରମଥାରେ ୩୭ ଟି କୁମ୍ଭୀର ଥିବାର ସୂଚନା ରାଜନଗର ବନଖଣ୍ଡ ଅଧିକାରୀ ଦେଇଛନ୍ତି । ଗତବର୍ଷ ଭିତରକନିକାରେ ୧୭୪୨ଟି କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ୧୫ ଟି କୁମ୍ଭୀର ବଢିଥିବାର ସୂଚନା ମିଳିଛି । ଚଳିତ ବର୍ଷ ଭିତରକନିକାରେ ମୋଟ ୧୭୫୭ ଟି କୁମ୍ଭୀର ଗଣନା କରାଯାଇଛି ।