ପୁରୀ(ଏଟିଆର ବ୍ୟୁରୋ): କରୋନା ଭାଇରସକୁ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜିଠୁ ମହାପ୍ରଭୁଙ୍କ ସେବାୟତ ମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇ ମନ୍ଦିର ଭିତରକୁ ଛଡା ଯାଇଛି । ପୋଲିସ ସେବାୟତଙ୍କ ଥର୍ମାଲ ସ୍କ୍ରିନିଂ କରି ମନ୍ଦିର ଭୁତରକୁ ପ୍ରବେଶ କରିବା ପାଇଁ ଅନୁମତି ଦେଇଛି । ତେବେ ଗତ ୨୦ ତାରିଖରୁ ଶ୍ରୀମନ୍ଦିର ଭିତରେ ଭକ୍ତ ମାନଙ୍କ ପ୍ରବେଶକୁ ବନ୍ଦ କରିଦିଆଯାଇଛି । କରୋନା ଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ହେଲେ ସେତେବେଳେ ସେବାୟତ ମାନଙ୍କ ପାଇଁ କୌଣସି କଟକଣା ଜାରି କରାଯାଇ ନଥିଲା । ମହାପ୍ରଭୁଙ୍କ ନୀତିକାନ୍ତି ଯଥାରୀତ ଚାଲୁଥିବାରୁ ସେବାୟତ ମାନଙ୍କୁ ମାସ୍କ ପିନ୍ଧି ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯାଇଥିଲା । ତେବେ କରୋନା ଭାଇରସ ସେବାୟତ ମାନଙ୍କୁ ବ୍ୟାପିବାର ସମ୍ଭାବନା ରହିଥିବାରୁ ଏଭଳି ପଦକ୍ଷେପ ମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି ।
ସୂଚନାଯୋଗ୍ୟ ଗତକିଛି ଦିନ ଭିତରେ କରେନା ଭାଇରସ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଚୀନର ଉହାନ ସହରରୁ ଅରମ୍ଭ ହୋଇଥିବା ଏହି ଭାଇରସ ବର୍ତ୍ତମାନ ୧୮୮ଟି ଦେଶକୁ ବ୍ୟାପିସାରିଲାଣି । ତେବେ ଭାରତରେ ମଧ୍ୟ ଏହି ଭାଇରସ ବ୍ୟାପିବାରେ ଲାଗିଛି । ଭାରତରେ ୩୦୦ରୁ ଅଧିକ ଜଣ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଲେ ଏହି ଭାଇରସରେ ଆକ୍ରାନ୍ତ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ତେବେ ଓଡିଶାରେ ୨ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ଗାଇଡ ଲାଇନ ମାନ ଜାରି କରୁଛନ୍ତି ।