ବାଲୁଗାଁ (ଏଟିଆର ବ୍ୟୁରୋ): ଚିଲିକାରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ବଢିଛି ପକ୍ଷୀଙ୍କ ସଂଖ୍ୟ । ପାଗ ଅନୁକୂଳ ଥିବା ହେତୁ ଚିଲିକାକୁ ବିଭିନ୍ନ ଦେଶ ବିଦେଶର ପକ୍ଷୀ ଆସୁଥିବାର ଦେଖିବାକୁ ମିଳୁଛି । ଗତବର୍ଷ ଚିଲିକାକୁ ୧୦ଲକ୍ଷ ୪୭ହଜାର ୯୬୮ଟି ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ଏହାର ସଂଖ୍ୟା ୧୧ଲକ୍ଷ ୬ହଜାର ୩୦୮ରେ ପହଞ୍ଚିଛି । ତେବେ ନଳବଣରେ ସର୍ବାଧବକ ୪ଲକ୍ଷ ୬ହଜାର ୩୦୮ଟି ପକ୍ଷୀ ଥିବା ଜଣା ପଡିଛି । ବାଲୁଗାଁ ଡିଏଫଓ ଆଲୋକ ରଞ୍ଜନ ହୋତା ସୂଚନା ପ୍ରଦାନ କରିଛନ୍ତି ।
ତାଙ୍କ କହିବା ଅନୁଯାୟୀ ଚିଲିକାରେ ଏଥର ମୋଟ ୧୮୪ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ନଳବଳରେ ସର୍ବାଧିକ ୧୦୨ ପ୍ରଜାତିର ପକ୍ଷୀ ଠାବ ହୋଇଛନ୍ତି । ସୂଚନାନୁଯାୟୀ, ବାଲୁଗାଁ ବନଖଣ୍ଡର ୫ଟି ରେଞ୍ଜରେ ପକ୍ଷୀ ଗଣନା କରାଯାଇଥିଲା। ଗତକାଲି ସକାଳ ୫ଟାରୁ ଆରମ୍ଭ ହୋଇଥିବା ପକ୍ଷୀ ଗଣନା କାର୍ୟ୍ୟକ୍ରମ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ଚାଲିଥିଲା । ଏହି ଗଣନା କାର୍ୟ୍ୟକ୍ରମରେ ୨୧ଟି ଦଳ ଗଠନ କରାଯିବା ସହ ପ୍ରାୟ ୧୨୦ କର୍ମଚାରୀ ନିୟୋଜିତ କରାଯାଇଥିଲା ।