ନବରଙ୍ଗପୁର ( ଏଟିଆର ବ୍ୟୁରୋ): ପୁଣି ଅନ୍ଧ ବିଶ୍ୱାସ, ପରିବାରର ତିନି ଜଣଙ୍କ ହାତ ତତଲା ଗୋବର ପାଣିରେ ବୁଡାଇଲେ ଗ୍ରାମବାସୀ । ପୁରା ଦେଶ ଏବେ ବିଜ୍ଞାନ ଓ ଟେକନୋଲୋଜି ପଛରେ ଗୋଡାଉ ଥିବା ବେଳେ ଆଜି ବି ଏମିତି କିଛି ଅଞ୍ଚଳ ରହିଛି ଯୋଉଠି ଆଜି ବି ରହିଛି ଗୁଣି ଗାରେଡି ସନ୍ଦେହ ଓ କଙ୍ଗାରୁ କୋର୍ଟର ନିଷ୍ପତ୍ତି । ଗଣମାଧ୍ୟମ ଓ ସରକାରଙ୍କ ପକ୍ଷରୁ ବାରମ୍ଭାର ସଚେତନ କରା ଯାଉଥିଲେ ମଧ୍ୟ ଲୋକେ ଚେତିବାକୁ ନାରାଜ ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ ।
ଗୁଣିଗାରେଡି ସନ୍ଦେହ କରି ଗୋଟିଏ ପରିବାରର ତିନିଜଣଙ୍କର ହାତକୁ ତତଲା ଗୋବର ପାଣିରେ ଭତ୍ତି କରିଛନ୍ତି ଗ୍ରାମର କିଛି ଲୋକ । ସୂଚନା ଅନୁସାରେ ବରଙ୍ଗପୁର ଜିଲ୍ଲା ବାଘସିଉନି ପଂଚାୟତ ନୂଆଗଡ଼ ଗାଁରେ ଛେଳି ଓ ମେଣ୍ଢା ଅଧିକ ମାତ୍ରାରେ ମରୁଥିବାରୁ ଏହା ଗୁଣିଗାରେଡି ଜନିତ ବୋଲି ଗ୍ରା ମବାସୀ ମାନେ ସନ୍ଦେହ କରିଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ସନ୍ଦେହ ଘେରକୁ ଆସିଥିଲେ ଉକ୍ତ ଗ୍ରାମର ବନମାଳୀ ଜାନୀ, ତାଙ୍କ ସ୍ତ୍ରୀ ଦୃପୁତ ଜାନୀ ଓ ୧୭ବର୍ଷୀୟ ଝିଅ ଶୁଭ ଜାନୀଙ୍କୁ ପାଖ ପଡୋଶୀ ଏଭଳି କାମ କରିଥିବା ସନ୍ଦେହ କରିଥିଲେ ।
ଯାହା ଗ୍ରାମ ସାରା ପ୍ରଚାରିତ ହୋଇଥିଲା । ପରେ ପରିବାରର ସମସ୍ତେ ଘରେ ଥିବା ସମୟରେ ଗାଁର ୫ ଜଣ ସଦସ୍ୟ ଘରୁ ଜବରଦସ୍ତ ଟାଣି ଆଣି ତତଲା ଗୋବର ପାଣିରେ ହାତ ବୁଡାଇ ଦେଇଥିଲେ । ଯାହା ଫଳରେ ତିନି ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଘଟଣାକୁ ନେଇ ପୋଲିସରେ ଏତଲା ହେବା ପରେ ଛାନଭିନ ଆରମ୍ଭ ହୋଇଛି ।