ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ମାସେ ତଳେ ହୋଇଥିବା ବାତ୍ୟା ତିତଲିକୁ ଆଜି ପୂରିଲା ଏକ ମାସ । ତେବେ ବର୍ତ୍ତମାନ ସୁଦ୍ଦା କ୍ଷତି ହୋଇଥିବା ଅଞ୍ଚଳରେ ସ୍ଥିତିରେ ସୁଧାର ଆସିନି । ଏବେ ବି ଅଣ୍ଟା ଭିଡି ଠିଆ ହୋଇପାରୁ ନାହାଁନ୍ତି ଲୋକ । ମୁଖ୍ୟତଃ ଏହି ବାତ୍ୟାର ପ୍ରଭାବ ଗଞ୍ଜାମ,ଗଜପତି ଉପରେ ବିଶେଷ ଭାବରେ ପଡିଥିଲା । ଏହି ବାତ୍ୟାରେ ସର୍ବାଧିକ ଗଜପତି ଜିଲ୍ଲାରେ ୩୯ ଜଣ ମରିଥିବା ସରକାରୀ ସୂତ୍ରରୁ ସୂଚନା ଦିଆଯାଇଥିଲା । ତେବେ ଗଞ୍ଜାମରେ ମଧ୍ୟ ଏହାର ପ୍ରଭାବରେ ୧୨ରୁ ଅଧିକ ଲୋକ ମରିଥିବା ନଜରକୁ ଆସିଥିଲା ।
ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତ ପାଦ ଦେଶରେ ଭୂସ୍କଳ ହେବା କାରଣରୁ ବହୁ କ୍ଷତି ହୋଇଥିଲା । ଯାହାକି ଏବେ ଧିରେ ଧିରେ ଠିକ ହେବାରେ ଲାଗିଛି । ଗଜପତି ଜିଲ୍ଲାର ରାୟଗଡା ବ୍ଳକ ମାଡବା ଗାଁରେ ବିଦ୍ୟୁତ ସେବା ଏବେ ସୁଦ୍ଦା ପହଁଞ୍ଚି ପାରିନାହିଁ । ଏବଂ ଗାଁକୁ ଅସ୍ଥାୟୀ ରାସ୍ତା କାମ ଚାଲୁ ରହିଛି । ରାଜ୍ୟ ସରକାରଙ୍କ ଅନୁରୋଧରେ କେନ୍ଦ୍ରରୁ ଆସିଥିବା ଟିମ ପ୍ରଭାବିତ ଅଞ୍ଚଳ ପରଖି କ୍ଷୟକ୍ଷତିର ଆକଳନ କରି ଚାଲିଯାଇଛନ୍ତି । କିନ୍ତୁ କେହି ବି ସରକାରୀ ସହାୟତା ପାଇନାହାଁନ୍ତି । ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୧୦ ଲକ୍ଷ ସହାୟତା ରାଶି ପ୍ରଦାନ କରିଥିଲେ ।