ପୁରୀ (ଏଟିଆର ବ୍ୟୁରୋ); ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିରାଜିବେ ଚତୁର୍ଦ୍ଧା ମୂରତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ।ଚଳିତ ବର୍ଷର ସ୍ନାନଯାତ୍ରା ପାଇଁ ସଂପୃକ୍ତ ସେବାୟତ, ପରିଚାଳନା କମିଟି ଓ ଅଧିକାରୀମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ଲାଗୁ କରାଯାଇଛି। ବ୍ୟବସ୍ଥାବଳୀ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରି ଦେଇଛି। ଏଥିପାଇଁ ୩୮ ଟିକିଆ ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି। ଚୂଡ଼ାନ୍ତ ବ୍ୟବସ୍ଥାବଳୀ ଅନୁଯାୟୀ, ସ୍ନାନପୂର୍ଣ୍ଣିମା ଦିନ ମଙ୍ଗଳାର୍ପଣ ସମୟରେ କେବଳ ନୀତି ସଂପୃକ୍ତ ସେବକ, ପରିଚାଳନା କମିଟି ସଦସ୍ୟ ଓ ଅଧିକାରୀମାନେ ଭିତର କାଠ ପାଖରେ ଉପସ୍ଥିତ ରହିବେ।
ଆଜି ତିନି ଠାକୁର ସ୍ନାନ ବେଦୀରେ ପହଞ୍ଚିବା ପରେ ମଇଲମ, ତଡ଼ପଲାଗି, ଅଧରପୋଛା ନୀତି ହେବ। ଏହା ସରିବା ପରେ ୧୦୮ ଗରା ସୁବାସିତ ଜଳରେ ପ୍ରତ୍ୟକ୍ଷସ୍ନାନ କରିବେ ମହାବାହୁ। ଏହାପରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରାପହଁରା ଅନୁଷ୍ଠିତ ହେବ। ଅନ୍ୟାନ୍ୟ ପୂଜାନୀତି ସରିବା ପରେ ଠାକୁରମାନଙ୍କୁ ହାତୀବେଶରେ ସଜ୍ଜିତ କରାଯିବ। ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ମୁତାବକ ଆଜି ଦିନ ୧୧ଟାରୁ ୨ଟା ଭିତରେ ସ୍ନାନନୀତି ସମ୍ପନ୍ନ ହେବ। ସାଢ଼େ ୩ଟାରେ ଛେରାପହଁରା ପରେ ୪ରୁ ୫ଟା ମଧ୍ୟରେ ହାତୀବେଶ ଅନୁଷ୍ଠିତ ହେବ। ରାତି ସାଢ଼େ ଦଶଟାରୁ ଗୋଟାଏ ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି ପାଇଁ ନୀତି ନିର୍ଘଣ୍ଟ ହୋଇଛି।