ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ଥିବା ବେଆଇନ କଲ୍ୟାଣ ମଣ୍ଡପ ସିଲ ହେବ । ଭୁବନେଶ୍ୱରରେ ଥିବା କିଛି କଲ୍ୟାଣମଣ୍ଡପ ବିଲ୍ଡିଂ ପ୍ଲାନିଂ ହୋଇନଥିବା, ପାର୍କିଂ ସୁବିଧା ନଥିବା ଓ ଟିକସ୍ ଦେଉନଥିବା ଜଣାପଡିଛି । ଏହି କାରଣରୁ ବିଏମସି ଓ ବିଡିଏ ପକ୍ଷରୁ ୩ଟି ଜୋନରେ ଥିବା ୮୦ଟି କଲ୍ୟାଣ ମଣ୍ଡପ ସିଲ୍ କରିବାକୁ ଚିହ୍ନଟ କରାଯାଇଛି । ସିଲ୍ କରିବା ପୂର୍ବରୁ ଏହି ମଣ୍ଡପ ଗୁଡିକୁ ତ୍ରୁଟି ସଜାଡିବା ପାଇଁ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା ।
ଏହି ସମୟ ସୀମା ସରିଯାଇଥିବାରୁ ଆଜିଠାରୁ ବିଏସି ଓ ବିଡିଏ ପକ୍ଷରୁ ମଣ୍ଡପ ସିଲ୍ କରିବା ଅଭିଯାନ ଆରମ୍ଭ କରାଯାଇଛି । ଆଜି ଭୁବନେଶ୍ୱରରେ ଥିବା ୫ଟି କଲ୍ୟାଣ ମଣ୍ଡପକୁ ସିଲ୍ କରାଯିବ ।ଏଥିରେ ଦକ୍ଷିଣ ପୂର୍ବ ଜୋନ୍ ରେ ସହିଦନଗର ଥାନା ଅଞ୍ଚଳରେ ଗୋଟିଏ, ଉତ୍ତର ଜୋନ୍ ରେ ଚନ୍ଦ୍ରଶେଖରପୁର ଓ ଇନ୍ ଫୋସିଟି ଥାନା ଅଧୀନରେ ତିନିଟି ଏବଂ ଦକ୍ଷିଣ ପଶ୍ଚିମ ଜୋନ୍ ରେ ଖଣ୍ଡଗିରି ଥାନା ଅଧୀନରେ ଗୋଟିଏ କଲ୍ୟାଣ ମଣ୍ଡପ ସିଲ୍ ହେବ ।
କେଉଁଦିନ କେଉଁ କଲ୍ୟାଣ ମଣ୍ଡପ ସିଲ କରାଯାଉଛି ତାହାର ତାଲିକା ପ୍ରସ୍ତୁତ କରି ବିଏମସି କମିଶନରଙ୍କ ନିକଟରେ ଦାଖଲ କରିବେ ଜୋନାଲ ଡେପୁଟି କମିଶନ୍ର । ରାଜଧାନୀରେ ମୋଟ ୯୪ ଟି କଲ୍ୟାଣ ମଣ୍ଡପ ରହିଛି । ସେଥିମଧ୍ୟରୁ ୮୦ଟି ମଣ୍ଡପ ସିଲ୍ ତାଲିକା ଭୁକ୍ତ କରିବାକୁ ନିର୍ଦ୍ଦେଶ ରହିଛି ।