ପୁରୀ ( ଏଟିଆର ବ୍ୟୁରୋ): ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଅବସରରେ ଶ୍ରୀ ମନ୍ଦିରରେ ବନ୍ଦ ରହିଥିବା ଅବଢା ଆଜି ଠାରୁ ମିଳିବ । ମହାପ୍ରଭୁ ମାଉସୀ ମା ଘରୁ ଫେରିବା ପରେ ସୁନାବେଶ ହୋଇ ଭକ୍ତଙ୍କୁ ରଥରେ ଦର୍ଶନ ଦେଇଥିଲେ । ସେହିପରି ଗତକାଲି ନୀଳାଦ୍ରି ବିଜେ କରି ରତ୍ନ ବେଦୀକୁ ଯାଇଛନ୍ତି ଚତୁର୍ଦ୍ଧା ମୂରତୀ । ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଏହାପରେ ବଡଠାକୁର ବଳଭଦ୍ର ଓ ପରେ ଦେବୀ ସୁଭଦ୍ରାଙ୍କୁ ରଥରେ ନିଆ ଯାଇଥିଲା । ଶେଷରେ ଟାହିଆ ହଲାଇ ନିଳାଦ୍ରି ବିଜେ ପହଣ୍ଡିରେ ବାହାରିଥିଲେ ଭାବ ବିନୋଦିଆ କାଳିଆ ଠାକୁର ।
ରଥରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥିବାରୁ ଶ୍ରୀ ଗୁଣ୍ଡିଚା ଦିନଠୁ ଅଭିମାନରେ ମହ୍ରପ୍ରଭୁ ଜଗନ୍ନାଥଙ୍କ ଆସିବା ବାଟକୁ ଚାହିଁ ରହିଥିଲେ । ଅଭିମାନରେ ମହାପ୍ରଭୁଙ୍କ ବାଟ ଓଗାଡିଥିଲେ । ମହାପ୍ରଭୁ କାଳିଆ ସାଆନ୍ତ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିଥିଲେ । ସୂଚନାଯୋଗ୍ୟ ଶ୍ରୀ ଗୁଣ୍ଡିଚା ସମୟରେ ଭକ୍ତମାନେ ଆଡପ ଅବଢା ପାଉଥିଲେ । ବାହୁଡା ପରେ ପ୍ରଭୁ ରଥରେ ରହିଥିବାରୁ ଅବଢା ମିଳୁ ନଥିଲା ।
ଗତକାଲି ନୀଳାଦ୍ରୀ ବିଜେ ପରେ ଭକ୍ତମାନେ ଆଜିଠାରୁ ଶ୍ରୀମନ୍ଦିରରେ ଅବଢ଼ା ପାଇବେ । ଆଜି ଚନ୍ଦ୍ର ଗ୍ରହଣ ଲାଗୁଥିବାରୁ ଭୋରୁ ଅବଢା ବାହାରିବା ପାଇଁ ସୂଚନା ରହିଥିଲା । ୧୩ ଦିନ ପରେ ଆଜି ଅବଢା ମିଳୁଥିବାରୁ ଭକ୍ତଙ୍କ ମନରେ ନାହିଁ ନଥିବା ଉତ୍ସାହ । ନିଳାଦ୍ରି ବିଜେ ଦର୍ଶନରେ ଆସିଥିବା ଭକ୍ତମାନେ ଆଜି ଅବଢା ଟିକିଏ ପାଇବା ପାଇଁ ଚାତକ ଭଳି ଅନେଇ ବସିଛନ୍ତି । ଆଜି ସକାଳୁ ରତନବେଦିରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ ।