ପୁରୀ(ଏଟିଆର ବ୍ୟୁରୋ): ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପାଳନ ହେବ । ତେବେ ଚଳିତ ବର୍ଷ କରୋନା ମହାମାରୀ ବ୍ୟାପୁଥିବାରୁ ଭକ୍ତମାନେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ କରିପାରିବେନି । ଆଜି ସକାଳେ ମହାପ୍ରଭୁଙ୍କ ଗୁପ୍ତ ନୀତିର ଜୁଣ ବାହାରିବା ପରେ ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେ କରାଯାଇଛି । ପରେ ବନକଲାଗି, ମଙ୍ଗଳ ଆଳତି, ଚକା ଅପସର, ସୁଦର୍ଶନ ଦେବଙ୍କ ବୁଣାଟ, ମଇଲମ, ଅବକାଶ ହେବ । ଏହା ପରେ ଦଶ ଅବତାର ଦିଅଁଙ୍କ ବାହୁଡ଼ା ବିଜେ ପରେ ଅଣସର ତାଟି ଫିଟିବ । ଅଣସର ତାଟି ଫିଟିବ ପରେ କେବଳ ସେବାୟତମାନେ ପ୍ରଭୁଙ୍କ ଦର୍ଶନ କରିବେ ।
ସେବାୟତମାନେ ପ୍ରଭୁଙ୍କ ଦର୍ଶନ କରିବା ପରେ ଧୁଆଧୁଇ ହୋଇ ଚୂନ ପଡ଼ିବ । ଏହାର କିଛି ସମୟ ପରେ ଦଇତାପତି ସର୍ବାଙ୍ଗ, ବନ୍ଦାପନା କରିବେ । ବନ୍ଦାପନା ପରେ ଶ୍ରୀବିଗ୍ରହଙ୍କ ନେତ୍ର ଉତ୍ସବ ବନ୍ଦାପନା ନୀତି ହେବ । ପରେ ସନ୍ଧ୍ୟାରେ ଯାତ୍ରାଙ୍ଗୀ ମହାସ୍ନାନ, ନେତ୍ରୋତ୍ସବ ବଢ଼ି ରାଜନୀତି, ମଇଲମ, ଘଣ୍ଟଛତା ସର୍ବାଙ୍ଗ ନୀତିସମ୍ପନ୍ନ ହେବ । ଏହା ପରେ ଦ୍ୱାରପାଳ ପୂଜା, ସୂର୍ୟ୍ୟପୂଜା, ବେଶ ଶେଷ କରାଯାଇ ଗୋପାଳବଲ୍ଲଭ ଓ ଘଣ୍ଟ ଛତା ସକାଳ ଧୂପ ରାତି ନଅଟାରୁ ଏକ ଘଣ୍ଟା ମଧ୍ୟରେ ଶେଷ କରାଯିବ । ରାତି ନଅଟା ଦଶ ମିନିଟରୁ ସାଢ଼େ ଦଶଟା ମଧ୍ୟରେ ଭୋଗ ମଣ୍ଡପ ଉଠିବ । ଏହା ପରେ ରାତି ୧୦ଟା ୩୫ରେ ମଇଲମ ଓ ତଡ଼ପ ଲାଗି ହେବ ।