ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପବିତ୍ର ଶ୍ରୀପଞ୍ଚମୀ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା । ଏହି ଅବସରରେ ଉତ୍ସବ ମୁଖର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଧର୍ମପୀଠ । ସାରା ରାଜ୍ୟ ଆଜି ମାଙ୍କ ପୂଜା ଲାଗି ଚଳଚଞ୍ଚଳ ହୋଇ ଉଠିଛି । ପୂଜା ମଣ୍ଡପକୁ ଛାତ୍ରଛାତ୍ରୀ ମାନେ ଅତି ମନୋରମ ଭାବେ ସଜାଇଛନ୍ତି । ହିନ୍ଦୁ ଧର୍ମ ଅନୁସାରେ ମା ସରସ୍ୱତୀଙ୍କୁ ଜ୍ଞାନର ଦେବୀ ଭାବେ ପୂଜାର୍ଚ୍ଚନା କରାଯାଏ । ଅଜ୍ଞାନ ଅନ୍ଧକାର ମଧ୍ୟରୁ ତେଜୋମୟ ଦିବ୍ୟଧାମକୁ ବାଟ କଢାଇ ନେବାର ସେ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ ।
ବ୍ରହ୍ମବୈବର୍ତ୍ତ ପୁରାଣ ଅନୁଯାୟୀ ସୃଷ୍ଟି କାଳରେ ଈଶ୍ୱରଙ୍କ ଇଚ୍ଛାରୁ ଆଦ୍ୟାଶକ୍ତି ନିଜକୁ ପାଞ୍ଚ ଭାଗରେ ବିଭକ୍ତ କରି ନେଇଥିଲେ । ସେ ରାଧା, ପଦ୍ମା, ସାବିତ୍ରୀ, ଦୁର୍ଗା ଏବଂ ସରସ୍ୱତୀଙ୍କ ରୂପରେ ଭଗବାନ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଅଙ୍ଗରୁ ସୃଷ୍ଟି ହୋଇଥିଲେ । ସେ ସମୟରେ ଶ୍ରୀକୃଷ୍ଣଙ୍କ କଣ୍ଠରୁ ଦେବୀ ସରସ୍ୱତୀ ଉତ୍ପନ୍ନ ହୋଇଥିଲେ । ଆଜି ସରସ୍ୱତୀ ପୂଜା ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଟ୍ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ।