ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ପ୍ରତି ଲୋକଙ୍କ ଆଗ୍ରହ ବଢିବାରେ ଲାଗିଛି । ଦିନକୁ ଦିନ ଲୋକଙ୍କର ହସ୍ତକଳା ପ୍ରତି ବଢୁଥିବା ଆଗ୍ରହକୁ ଦେଖି ପ୍ରତିବର୍ଷ ଭଳି ଏହିବର୍ଷ ମଧ୍ୟ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ହିସେମ୍ବର ୧୫ରୁ ୨୭ ତାରିଖ ମଧ୍ୟରେ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି । ଏହା ଦେଶର ସର୍ବବୃହତ ହସ୍ତଶିଳ୍ପ ଓ ହସ୍ତ ମେଳା ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ୩୫୦ରୁ ଉର୍ଦ୍ଧ କାରିଗର ଓ ବୁଣାକାର ଯୋଗ ଦେବେ ।
ଏହି ମେଳାରେ ଓଡିଶାର ୧୫୦ ହସ୍ତଶିଳ୍ପ କାରିଗର ଓ ୮୦ ବୁଣାକାର ଯୋଗ ଦେଉଥିବା ବେଳେ ରାଜ୍ୟ ବାହାରୁ ୫୦ ବୁଣାକାର ଓ ଶିଳ୍ପୀ ଯୋଗ ଦେବେ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି , ଚଳିତ ବର୍ଷ ମେଳାରେ ୩୮୦ଟି ଷ୍ଟଲ୍ ଖୋଲିବାକୁ ଥିବା ବେଳେ ୪୦ଟି ଷ୍ଟଲକୁ ଫୁଡକୋର୍ଟ କରାଯିବ । ଏହିସବୁ ଫୁଡ୍ ଷ୍ଟଲମାନଙ୍କରେ ରାଜ୍ୟରେ ଥିବା ବିଭିନ୍ନ ହୋଟେଲଗୁଡିକ ପାରମ୍ପରିକ ଖାଦ୍ୟ ସହ ବିଭିନ୍ନ ଦେଶୀବିଦେଶୀ ଖାଦ୍ୟ ଉପଳବ୍ଧ ହେବ । ଅନ୍ୟପଟେ ୧୨ଟି ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରମାନେ ଲାଇଭ ଡେମୋ ପ୍ରଦର୍ଶନ କରିବେ । ଚଳିତବର୍ଷ ମେଳା ପାଇଁ ଆୟୋଜନ ପାଇଁ ବିଭାଗ ପକ୍ଷରୁ ୩.୫୯କୋଟି ଟଙ୍କା ବଜେଟ ରଖାଯାଇଛି ।
ପୂର୍ବବର୍ଷ ମେଳାରେ ୨୦.୮୨ କୋଟି ଟଙ୍କାର କାରବାର ହୋଇଥିବା ବେଳେ ଏଥର ଏହା ୨୧.୫୦କୋଟିରୁ ଉର୍ଦ୍ଧ ଟଙ୍କାର ବ୍ୟବସାୟ ହେବ ବୋଲି ବିଭାଗ ପକ୍ଷରୁ ଆଶା କରାଯାଉଛି । ପ୍ରତିବର୍ଷଭଳି ଏବର୍ଷ ମଧ୍ୟ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୧୩ଦିନ ବ୍ୟାପି ହେବାକୁ ଥିବା ଏହି ମେଳାର ପ୍ରତ୍ୟହ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯିବ । ବଲିଉଡର ଲୋକପ୍ରିୟ ଗାୟକା ପ୍ରତିଭା ସିଂ ଭାଗ ଏବଂ ଅମନ ତିର୍ଖ ସଂନ୍ଧ୍ୟାର ମୁଖ୍ୟ ଆକର୍ଷଣ ରହିବେ । ଉଦଘାଟନୀ ସମାହରୋହରେ ‘ରାଜ୍ୟ ହସ୍ତଶିଳ୍ପ ପୁରସ୍କାର’ ସହ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯିବ । ସାମ୍ବାଦିକ ସମ୍ମିଳନୀରେ ସଚିବ ନୀତିନ ଚନ୍ଦ୍ର, ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ହସ୍ତଶିଳ୍ପ ଓ କୁଟୀରଶିଳ୍ପ ନିର୍ଦ୍ଦେଶକ ବସନ୍ତ ଦାସ, ବିଭାଗର ଅତିରକ୍ତ ସଚିବ ବୃନ୍ଦାବନ ବେହେରା ଯୁଗ୍ମସଚିବ ଅଞ୍ଜନା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।