ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଷୋଡଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଜନତା ମଇଦାନରେ ଆୟୋଜନ ହୋଇଥିବା ଏହି ମେଳା ଏପ୍ରିଲ ୧୦ ତାରିଖ ଯାଏଁ ଚାଲିବ । ଆଜି ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ମେଳା ଉଦଘାଟନ କରାଯିବ ।
ଚଳିତ ବର୍ଷ ତୋଷାଳି ମେଳାରେ ୩୯୦ ଟି ହସ୍ତତନ୍ତ ଷ୍ଟଲ ପଡିବ । ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାରମାନେ ଏହି ମେଳାରେ ଅଂଶଗ୍ରହଣ କରିବେ । ଏଥର ପ୍ରଥମଥର ପାଇଁ ଅନ୍ୟ ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ ନିଗମଗୁଡିକୁ ଆମନ୍ତ୍ରିତ କରାଯାଇଛି ।
ଅପରାହ୍ନ ୩ ଟାରୁ ରାତି ୧୦ ଟା ଯାଏଁ ମେଳା ଖୋଲିବ । ମେଳା ପରିସରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।