ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଟ୍ରାଫିକ ପୋଲିସର ମନମାନି ଚାଲିଛି । ଯାହାକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଛି । ଇଛା ହେଲେ ଡ୍ୟୁଟି କରୁଛନ୍ତି ଆଉ ଇଛା ନହେଲେ ଆସୁ ନାହାଁନ୍ତି ଡ୍ୟୁଟିକୁ! ତେବେ ଡ୍ୟୁଟି ନକରିବା ପାଇଁ ଉପରୁ ନିର୍ଦ୍ଦେଶ ହେଉଛି ନାଁ ମନ ଇଛା ଡ୍ୟୁଟି କରୁ ନାହାଁନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକ । ପଟିଆ ବିଗ ବଜାର ଛକ ଆଗରେ ଥିବା ଏଚପି ପେଟ୍ରୋଲ ପମ୍ପ ପାଖ କଳାରାହାଙ୍ଗ ରାସ୍ତା ପାଖରେ କେବେ କେବେ ଟ୍ରାଫିକ ଆସି ନିୟନ୍ତ୍ରଣ କରୁଛନ୍ତି ତ ଆଉ କେବେ ଆସୁ ନାହାଁନ୍ତି । ଏଠାରେ ବହୁତ ଭିଡ ହେଉଥିବାରୁ ନିହାତି ଜଣେ କର୍ମଚାରୀ ଦରକାର ହେଉଛି । ମାତ୍ର ଯଦି କେବେ ଇଛା ହେଉଛି ତେବେ କେହି ଆସୁଛନ୍ତି ଏବଂ କିଛି ସମୟ ଠିଆ ହୋଇ ପଳାଉଛନ୍ତି । ଆଉ କେବେ କେବେ ବୋଧହୁଏ ମନେ ପଡୁନାହିଁ ଏଣୁ ଏଠାକୁ କେହି ଆସୁନାହାଁନ୍ତି । ଏହାକୁ ନେଇ ଜନ ସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତିି ।
ଏହି ଛକରେ ତିନି ପଟରୁ ଗାଡି ଆସୁଥିବାରୁ ସକାଳ ଏବଂ ସନ୍ଧ୍ୟା ସମୟରେ ବହୁତ ଭିଡ ଜମୁଛି । ଏବଂ ରାସ୍ତା ମଧ୍ୟ ଜାମ ହୋଇ ଯାଉଛି । ଏଣୁ ଲୋକମାନେ ବହୁତ ଅସୁବିଧାର ସମୁଖୀନ ହେଉଛନ୍ତି । ମୁଖ୍ୟତଃ ଅଫିସ ସମୟ ୧୦ ବେଳେ ଏଠାରେ ପ୍ରବଳ ଭିଡ ଜମୁଛି । ମାତ୍ର ତିନି ପଟୁ ଗାଡି ଆସୁ ଜମିଯାଉଛି ଏବଂ ଭାରି ଯାନ ବେଳେ ବେଳେ ପଶି ଯିବାରୁ ସମ୍ପୂର୍ଣ୍ଣ ଭାବରେ ରାସ୍ତା ଜାମ ହୋଇ ଯାଉଛି । ଫଳରେ ଦୀର୍ଘ ସମୟ ଧରି ଲୋକଙ୍କୁ ଅପେକ୍ଷା କରିବାକୁ ପଡୁଛି । ଏଣୁ ଜନ ଅସନ୍ତୋଷ ଦେଖା ଦେଉଛି ।
ଅଧିକାଂଶ ସମୟରେ ଏଠାରେ ଦୁର୍ଘଟଣା ଘଟୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଏବଂ ତିନି ପଟରୁ ଲୋକଙ୍କ ଭିଡ ଜମୁଥିବାରୁ ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି । ସମସ୍ତେ ଅନ୍ୟ ଉପରେ ଦୋଷ ଲଦାଲଦି ମଧ୍ୟ ହୋଇଥାନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏତେ ସବୁ ଅସୁବିଧା ହେଉଥିବା କଣ ଟ୍ରାଫିକ ପୋଲିସ ନଜରକୁ ଆସୁ ନାହିଁ? ନା ଜାଣି ମଧ୍ୟ ଅଜଣା ହେବାର ଅଭିନୟ କରୁଛନ୍ତି । ଏଭଳି ଅନେକ ପ୍ରଶ୍ନ କରିଛନ୍ତି ସାଧାରଣ ଲୋକ । ତେବେ କେବଳ ଏହି ଜାଗା ନୁହେଁ ରାଜଧାନୀର ବିଭିନ୍ନ ଜାଗାରେ ଗହଳି ହେଉଥିଲେ ମଧ୍ୟ ଟ୍ରାଫିକ ପୋଲିସ ନଥିବା ଦେଖିବାକୁ ମିଳୁଛି ।