ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଟ୍ରେନ ଚଳାଚଳ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ରାଉରକେଲା-ଭୁବେନେଶ୍ୱର ଇଣ୍ଟରସିଟି ଟ୍ରେନ ସେବା ଆରମ୍ଭ ହୋଇଛି । ଏହି ଟ୍ରେନ ଆଜି ସକାଳ ୫ଟା ୧୦ରେ ରାଉରକେଲାରୁ ବାହାରିଥିବା ବେଳେ ଯାତ୍ରୀମାନେ ଭୁବନେଶ୍ୱରରେ ଆଜି ଦିନ ସାଢ଼େ ୧୨ଟା ପରେ ପହଞ୍ଚିବେ । ପୁଣି ଏହି ଟ୍ରେନ ଅପରାହ୍ନ ୨ଟାରେ ରାଉରକେଲା ଫେରିଯିବ ।
ସେହିପରି ଭୁବନେଶ୍ୱର ଷ୍ଟେସନରୁ ବଲାଙ୍ଗୀର ଅଭିମୁଖେ ଇଣ୍ଟରସିଟି ଏକ୍ସପ୍ରେସ ସକାଳ ୬ଟା ୩୦ରେ ବାହାରିଛି । ଏହି ଟ୍ରେନ ବଲାଙ୍ଗୀର ପହଂଚିବା ପରେ ଅପରାହ୍ନ ୨ଟା ୩୦ରେ ପୁଣି ଫେରିଆସିବ । ପୂର୍ବତଟ ରେଳତଟ ପକ୍ଷରୁ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ସନ୍ଧ୍ୟା ୫ଟା ୩୦ରେ ଭୁବନେଶ୍ୱର ଓ ସକାଳ ୭ଟାରେ ବ୍ରହ୍ମପୁରରୁ ଛାଡ଼ିବ । ସେହିଭଳି ସମ୍ବଲପୁର-ଖୋର୍ଦ୍ଧାରୋଡ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ ସକାଳ ୬ଟାରେ ସମ୍ବଲପୁର ଓ ଅପରାହ୍ନ ୪ଟା ୫୫ରେ ଖୋର୍ଦ୍ଧାରୋଡରୁ ଛାଡ଼ିବ । ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ସପ୍ତାହକୁ ୩ ଥର ଚାଲିବ । ଏହି ଟ୍ରେନ ସୋମବାର, ବୁଧବାର ଓ ଶୁକ୍ରବାର ଚାଲିବ । ରାଜ୍ୟରେ ପରିଚାଳିତ ହେଉଥିବା ୬ଟି ଟ୍ରେନ ଜୁନ ୩୦ ଯାଏଁ ଶନିବାର ଓ ରିବିବାର ବନ୍ଦ ରହିବ ।
ତେବେ ଟ୍ରେନରେ ଯାତ୍ରା କଲାବେଳେ ଯାତ୍ରୀ ମାନେ ମାସ୍କା ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ଟ୍ରେନରେ ଯାତ୍ରା କରିବା ପୂର୍ବରୁ ଯାତ୍ରୀ ମାନଙ୍କର ସ୍କ୍ରିନିଂ କରାଯାଇଛି । ଏହାସହ ଯାତ୍ରୀ ମାନଙ୍କୁ ଯଥା ସମ୍ଭବ ସାମାଜିକ ଦୂରତା ବଜାଇ ରଖିବା ପାଇଁ କୁହାଯାଇଛି । ସୂଚନା ଯୋଗ୍ୟ କରୋନା ମୁକାବିଲା କରିବା ପାଇଁ ମାର୍ଚ୍ଚ ୨୨ ତାରିଖରୁ ଟ୍ରେନ ଚଳାଚଳ ବନ୍ଦ କରାଯାଇଥିଲା । ଏବେ ସ୍ଥିତି ସୁଧୁରିବାରୁ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଛି ।