ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ବର୍ତ୍ତମାନ କରୋନା ମୁକାବିଲା କରିବାରେ ଲାଗିପଡିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କରୋନା ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ତେବେ ଆଜି ରାଜ୍ୟ ପରିବହନ ବିଭାଗ ପକ୍ଷରୁ କରୋନା ମୁକାବିଲା ପାଇଁ କିଛି ଘୋଷଣା କରାଯାଇଛି । ବସଯାତ୍ରୀ ମାନଙ୍କୁ କରୋନା ସଂକ୍ରମଣ ଠାରୁ ଦୂରେଇ ରଖିବା ପାଇଁ ଘରୋଇ ବସ ମାଲିକ ସଂଘ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ବୈଠକ ସରିବା ପରେ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ରାଜ୍ୟରେ ଥିବା ବିଭିନ୍ନ ସହର ମାନଙ୍କରେ ଥିବା ମୁଖ୍ୟ ବସ ଷ୍ଟାଣ୍ଡ ମାନଙ୍କରେ ଯାତ୍ରୀ ମାନଙ୍କୁ ମାଗଣାରେ ମାସ୍କ ଯୋଗାଇ ଦିଆଯିବ ବ୍ୟବସ୍ଥା କରାଯିବ ।
ଏନେଇ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରାଯିବ । ସେହିପରି ବସ ଗୁଡିକରେ ସ୍ୱଚ୍ଛତା ରଖିବା ପାଇଁ ବସ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବସରେ ଯେତିକି ସିଟ ସେତିକି ଯାତ୍ରୀ ନେବା ପାଇଁ କୁହାଯାଇଛି । ଓଭରଲୋଡିଂ କଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ଆରଟିଓ ସେଣ୍ଟରରେ ଭିଡ଼ ରୋକିବାକୁ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି , ଅଫିସରେ ଏକ ସମୟରେ ୫୦ରୁ ଅଧିକ ଆବେଦନକାରୀ ରହିପାରିବେନି । ଯେଉଁ ଆବେଦନକାରୀଙ୍କୁ ଫୋନ୍ ଯିବ ସେମାନେ ଆସି ଉପସ୍ଥିତ ରହିବେ । ଏହାକୁ କଡାକଡି ଲାଗୁ କରିବାକୁ ସବୁ ଆରଟିଓଙ୍କୁ ଚିଠି ଲେଖିବ ପରିବହନ ବିଭାଗ।