ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗୁରୁବାର ଜମୁ-କାଶ୍ମୀରର ପୁଲୱାମୀରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୩୭ ଜଣ ଯବାନ ସହୀଦ ହୋଇଛନ୍ତି । ଏହି ସହୀଦଙ୍କ ମଧ୍ୟରେ ଦୁଇ ଜଣ ଓଡିଆ ଯବାନ ଅଛନ୍ତି । ଯାହାକି ସାରା ଓଡିଶାରେ ଦୁଃଖର ଛାୟା ଖେଳିଯାଇଛି । ତେବେ ଏହି ଦୁଇ ଓଡିଆ ଯବାନ ଦ୍ୱୟ ହେଲେ ମନୋଜ କୁମାର ବେହେରା ଏବଂ ପ୍ରଶନ୍ନ କୁମାର ସାହୁ । ମନୋଜଙ୍କ ଘର କଟକ ଜିଲ୍ଲା ନିଆଳି ଅନ୍ତର୍ଗତ ରତନପୁରରେ ହୋଇଥିବା ବେଳେ ପ୍ରଶନ୍ନଙ୍କ ଘର ଜଗତସିଂହପୁର ଜିଲ୍ଲା ନାଉଗାଁ ଅନ୍ତର୍ଗତ ଶିଖର ଗାଁରେ । ଉଭୟଙ୍କ ଗାଁରେ ଶୋକର ଛାୟା ଖେଳି ଯାଇଛି ଏବଂ ଶାନ୍ତ୍ୱନା ଦେବା ପାଇଁ ଲୋକଙ୍କ ସୁଅ ଛୁଟିଛି ।
ମନୋଜ ୨୦୦୬ରେ ସିଆପିଏଫରେ ଯୋଗ ଦେଇଥିଲେ । ଯାହାକୁ ନେଇ ବେଶ ଖୁସି ହୋଇଥିଲେ ପରିବାର ଲୋକ । ଏବେ ପୁଅକୁ ହରାଇ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । କାରଣ ମନୋଜ ହେଉଛନ୍ତି ବାପା ମାଙ୍କର ଗୋଟିଏ ପୁଅ । ତେବେ ସବୁଠାରୁ ବଡ ଦୁଃଖର କଥା ହେଉଛି ମନୋଜ ୨୦୧୭ରେ ବିବାହ କରିଥିଲେ । ଏବଂ ତାଙ୍କର ବର୍ଷକର ଝିଅଟିଏ ଅଛି । ବାପାକୁ ଚିହ୍ନିବା ଆଗରୁ ଚାଲିଗଲେ ବାପା । ତେବେ ମନୋଜ ନିକଟରେ ଝିଅର ଜନ୍ମ ଦିନ ପାଳନ କରିବା ପାଇଁ ଗାଁକୁ ଆସିଥିଲେ । ଏବଂ ଫେବୃଆରୀ ୬ ତାରିଖରେ ପୁନର୍ବାର ଯୋଗ ଦେବା ପାଇଁ ଚାଲି ଯାଇଥିଲେ । ଏବେ ଏଭଳି ଖବର ପାଇବା ପରେ ପରିବାର ଲୋକ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି ।
ପ୍ରଶନ୍ନ କୁମାର ସାହୁଙ୍କ ଘର ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଶିଖର ଗାଁର । ପ୍ରସନ୍ନ ସିଆରପିଏଫ୍ ୬୧ ବାଟାଲିୟନରେ ହାବିଲଦାର ଭାବେ ମୁତୟନ ଥିଲେ। ୧୯୯୨ ମସିହାରେ ସିଆରପିଏଫ୍ରେ ଯୋଗଦେଇଥିଲେ ପ୍ରସନ୍ନ । ଗତ ନଭେମ୍ବର ୧୭ତାରିଖରେ ପ୍ରସନ୍ନ ଗାଁକୁ ଆସିଥିଲେ । ଏଭଳି ଅଘଟଣ ଖବର ପାଇବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗିପଡିଛନ୍ତି । ଗାଁ ସାରା ଶୋକର ଛାୟା ଖେଳିଯାଇଛି ।