ଦୁଇ ଭଉଣୀଙ୍କ ମୃତ ଦେହ ଉଦ୍ଧାର କାରଣ ଅସ୍ପଷ୍ଟ
ଭଞ୍ଜନଗର(ଭବାନୀ ପାଳ) -ସୋରଡ଼ା ବ୍ଲକରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାରର ଦୁଇ ଝିଅ ମୃତ୍ୟୁବରଣ କରିଛନ୍ତି । ସୋରଡ଼ାର ପୁଷ୍ପନଗରରେ ରହୁଥିବା ସୁଧାଂଶୁ ପାତ୍ରଙ୍କ ଦୁଇ ଝିଅ ସ୍ନେହଲତା ପାତ୍ର (୧୦) ଓ ସୁଜ୍ଞାନୀ ପାତ୍ର (୬) ଦୁହିଁଙ୍କର ମୃତ୍ୟୁ ଘଟିଛି । ସ୍ନେହଲତା ୫ମ ଶ୍ରେଣୀରେ ପାଠ ପଢୁଥିଲେ ଓ ସୁଜ୍ଞାନୀ ଅଙ୍ଗନବାଡିରେ ପଢୁଥିଲେ ।
ସୂଚନାନୁସାରେ ସୁଧାଂଶୁଙ୍କ ତିନୋଟି ଝିଅ ଗତକାଲି ରାତିରେ ଖାଇବା ପରେ ଘରେ ଗୋଟିଏ କୋଠରୀରେ ତିନି ଝିଅ ସହ ତାଙ୍କ ସ୍ତ୍ରୀ ଶୋଇଥିଲେ ଏବଂ ସୁଧାଂଶୁ ଘର ବାରଣ୍ଡାରେ ଶୋଇଥିଲେ । ସକାଳ ୫ ଟା ସମୟରେ ତିନିଝିଅ ମଧ୍ୟରୁ ଦୁଇ ଝିଅ ସ୍ନେହଲତା ଓ ସୁଜ୍ଞାନୀ ଦୁହେଁ ଛାତି ଓ ଗଳାରେ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିବା ତାଙ୍କ ମାଙ୍କୁ ଜଣାଇଥିଲେ । ସ୍ତ୍ରୀ ଆସି ସୁଧାଂଶୁଙ୍କୁ ଉଠାଇବା ପରେ ସୁଧାଶୁଂ ଆସି ଦେଖିଥିଲେ ଦୁଇ ଝିଅ କାନ୍ଦୁଛନ୍ତି । ପରେ ଭଞ୍ଜନଗର ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ଚିକତ୍ସା ପାଇଁ ଆଣିଥିଲେ ।
ହେଲେ ଦୁଇ ଝିଅଙ୍କୁ ଡାକ୍ତର ଏଠାରେ ମୃତ ଘୋଷଣା କରିଥିଲେ । ଝିଅଙ୍କ ମୃତ ହୋଇଥିବା ଶୁଣିବା ପରେ ବାପା ମା’ ଙ୍କ କାନ୍ଦ ବୋବାଳି ରେ ଡାକ୍ତରଖାନା କମ୍ପି ଉଠିଥିଲା । ପରିବାର ଲୋକେ ଗୋଟିଏ ଦିନରେ ଏକକାଳୀନ ଦୁଇ ଝିଅଙ୍କ ମୃତ ଖବର ଶୁଣି ଦୁଃଖରେ ଭାଙ୍ଗିପଡିଥିଲେ । ଦୁଇ ଝିଅଙ୍କ ଅକାଳ ମୃତ ଖବର ପାଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି ।