ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ସହ ସଂଖ୍ୟାଲଘୁ ଛାତ୍ରଙ୍କ ପାଇଁ ହଷ୍ଟେଲ ନିର୍ମାଣ କରିବା ଲାଗି କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ଧମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଜନବିକାଶ କାର୍ଯ୍ୟକ୍ରମ ଯୋଜନାରେ ଭଦ୍ରକରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟକୁ ପ୍ରସ୍ତାବ ଦେବାକୁ ଅନୁରୋଧ କରିଛନ୍ତି । ସେହିପରି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀ ମୁଖତାର ଆବସ ନକବିଙ୍କୁ ଚିଠି ଲେଖି ଧମେନ୍ଦ୍ର ଅନୁରୋଧ କରିଛନ୍ତି ଯେ, ଭୁବନେଶ୍ୱରରେ ସ୍କୁଲ କିମ୍ବା କଲେଜରେ ପାଠ ପଢୁଥିବା ସଂଖ୍ୟାଲଘୁ ଛାତ୍ରୀମାନଙ୍କ ପାଇଁ ଏକ ଛାତ୍ରାବାସ ନିର୍ମାଣ କରିବାକୁ ଧମେନ୍ଦ୍ର ପ୍ରଧାନ କହିଛନ୍ତି ।
ବର୍ତ୍ତମାନ ଭଦ୍ରକ ଜିଲ୍ଲାରେ କୌଣସି ଆଞ୍ଚଳିକ ମେଡିକାଲର ସୁବିଧା ନାହିଁ । ଯଦି ମେଡିକାଲ କଲେଜ ନିର୍ମାଣ ହୁଏ ତେବେ ଭଦ୍ରକ ଓ ତାର ଆଖ ପାଖରେ ରହୁଥିବା ଲୋକମାନେ ମେଡିକାଲର ସୁବିଧା ଉଠାଇ ପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି , ଯେ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ ଯୋଜନାରେ ସଂଖ୍ୟାଲଘୁ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଛି । ଏହି ଯୋଜନା ଅଧୀନରେ ସ୍ୱାସ୍ଥ୍ୟକୁ ଅଧିକ ଗୁରୁତ୍ୱରୋପ କରାଯାଉଛି । ଏହାସହ ଭଦ୍ରକରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦରକାରୀ ବୈଧାନିକ ଆବଶ୍ୟକତା ପୂରଣ କରିବା ସହ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ଆବେଦନ କରିବାକୁ ବିଚାର କରାଯାଉ ବୋଲି ସେ ନିଜ ଆବେଦନରେ କହିଥିଲେ । ଏହାଛଡା ଏହି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ଯୋଗାଇଦେବେ । ମାନବ ସମ୍ବଳ ସମେତ ଅନ୍ୟନ୍ୟ ଆନୁସାଙ୍ଗିକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ ନିଜ ପତ୍ରରେ ଉଲ୍ଲେଖ କରିଥିଲେ ।
ଅନ୍ୟ ଏକ ପତ୍ରରେ ଧମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀ ମୁଖତାର ଆବସ ନକବିଙ୍କୁ ଚିଠି ଲେଖି କହିଛନ୍ତି, ଏବେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଜନ ବିକାଶକାର୍ୟ୍ୟକ୍ରମ ଯୋଜନା ଅଧୀନରେ କେବଳ ଅଧିକ ସଂଖ୍ୟାଲଘୁ ଅଂଚଳ ତଥା ଯେଉଁଠାରେ ସଂଖ୍ୟାଲଘୁ ଜନସଂଖ୍ୟା ୨୫ ପ୍ରତିଶତରୁ ଉର୍ଦ୍ଧ୍ୱ ଏବଂ ଯେଉଁ ଅଂଚଳରେ ଆର୍ଥିକ ବର୍ଗର ପଛୁଆ ଶ୍ରେଣୀର ଲୋକମାନେ ବାସ କରୁଛନ୍ତି ସେମାନଙ୍କ ପାଇଁ ପ୍ରକଳ୍ପମାନ ମଞ୍ଜୁରୀ କରିଛନ୍ତି । ଏହି ମର୍ମରେ ରାଜଧାନୀ କିମ୍ବା ଅନ୍ୟ ମୁଖ୍ୟ ନଗର ଅଂଚଳରେ ଏହି ସବୁ ଶ୍ରେଣୀର ଛାତ୍ରଛାତ୍ରୀ ତଥା ଲୋକମାନଙ୍କ ସୁବିଧା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ନିମନ୍ତେ ବିଭିନ୍ନ ପ୍ରକଳ୍ପ ଯଥା ଛାତ୍ରାବାସ, ଆବାସିକ ବିଦ୍ୟାଳୟ, ଆଇଟିଆଇ ଦକ୍ଷତା କେନ୍ଦ୍ର ଭଳି ପ୍ରକଳ୍ପ କରିବା ପାଇଁ ଅନୁମତି ଦିଅନ୍ତୁ ବୋଲି ଧମେନ୍ଦ୍ର ପ୍ରଧାନ ନିଜ ଚିଠିରେ ଲେଖି କହିଛନ୍ତି ।