ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ଯୁବ ପିଢିମାନେ ମାଦକ ଦ୍ରବ୍ୟର ବସବତି ହୋଇପଡୁଛନ୍ତି । ମାଦକ ଦ୍ରବ୍ୟ ଗ୍ରହଣ କରିବା ନିମନ୍ତେ ନିଜ କ୍ୟାରିୟରକୁ ନଷ୍ଟ କରିବାକୁ ପଛଉ ନାହାନ୍ତି । ଅନେକ ସମୟରେ ଛୋଟ ଠାରୁ ଆରମ୍ଭ କରି ବଡ ସମସ୍ତଙ୍କ ହାତରେ ଗୋଟିଏ ସିଗାରେଟ ଥିବାର ଦେଖିବାକୁ ମିଳୁଛି । ବିଭିନ୍ନ କମ୍ପାନୀ ମାନେ ଆଧୁନିକ ଇ- ସିଗାରେଟକୁ ବଜାରକୁ ଛାଡିବା ଫଳରେ ଯୁବ ପିଢିମାନେ ଏହା ଗ୍ରହଣ କରିବାରେ ଲାଗିଲେଣି ।
ଶିକ୍ଷାନୁଷ୍ଠାନମାନଙ୍କରେ ଏହି ଇ- ସିଗାରେଟର ବ୍ୟବହାର ଏକ ଫ୍ୟାସନ ପାଲଟି ଯାଇଥିବାର ଦେଖିବାକୁ ମିଳୁଛି । ଅନେକ ବିଶ୍ୱବିଦ୍ୟାଳୟମାନଙ୍କର ଏହି ଇ- ସିଗାରେଟର ବ୍ୟବହାର ବହୁଳ ମାତ୍ରାରେ ଦେଖାଯାଉଛି । ତେବେ ବିଶ୍ୱବିଦ୍ୟାଳଗୁଡିକରେ ଇ- ସିଗାରେଟ ଉପରେ ଲାଗିଛି କଟକଣା । ଯେପରି କୌଣସି ଛାତ୍ରଛାତ୍ରୀ ଏହି ଇ- ସିଗାରେଟ କବଳରେ ନପଡନ୍ତି ସେ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।
ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ଙ୍କ ପକ୍ଷରୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖାଯାଇଛି । ଏହି ଚିଠିରେ ଉଲ୍ଲେଖ ରହିଛି କି, ଦି ପ୍ରୋହିବିସନ ଅଫ୍ ଇଲେକ୍ଟ୍ରୋନିକ୍ ସିଗାରେଟ୍ସ୍ ଅଡିନାନ୍ସ, ୨୦୧୯ ଅନୁଯାୟୀ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇ-ସିଗାରେଟ୍କୁ ଦେଶରେ ବନ୍ଦ କରାଯାଇଛି। ତେବେ କିଛି କମ୍ପାନୀ ଇ- ସିଗାରେଟକୁ ଆକର୍ଷଣୀୟ ପ୍ୟାକେଟ ପ୍ରସ୍ତୁତ କରି ବଜାରରେ ବିକ୍ରି କରଛନ୍ତି । ତେଣୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ଏହାର ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ଏହି ଇ- ସିଗାରେଟ ଉପରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।