ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରାଯାଇଛି । ମୋଟ ୨୧ କୋଟି ୧୦ ଲକ୍ଷ ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି ସରକାର । ଏହି ପାଣ୍ଠି ୧୧୪ ପୌରସଂସ୍ଥାକୁ ମିଳିବ । ରାଜ୍ୟ ଗୃହ ଓ ନଗର ଉନ୍ନୟନ ନିଗମ ଏନେଇ ସହରାଞ୍ଚଳ ଉନ୍ନୟନ ସଂସ୍ଥାକୁ ଅବଗତ କରାଇଛନ୍ତି । ବର୍ତ୍ତମାନର ସ୍ଥିତି ଓ କରୋନା ମୁକାବିଲାର ଦିଗରେ ଏହି ପାଣ୍ଠିକୁ ଖର୍ଚ୍ଚ କରିବାକୁ କୁହାଯାଇଛି ।ବିଏମସିକୁ କରୋନା ମୁକାବିଲା ପାଇଁ ୧ କୋଟି ଟଙ୍କା ମିଳିଥିବା ବେଳେ କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁରକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିଛି।
ସୂଚନାଯୋଗ୍ୟ ଗତକିଛି ଦିନ ଭିତରେ କରେନା ଭାଇରସ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଚୀନର ଉହାନ ସହରରୁ ଅରମ୍ଭ ହୋଇଥିବା ଏହି ଭାଇରସ ବର୍ତ୍ତମାନ ୧୮୮ଟି ଦେଶକୁ ବ୍ୟାପିସାରିଲାଣି । ତେବେ ଭାରତରେ ମଧ୍ୟ ଏହି ଭାଇରସ ବ୍ୟାପିବାରେ ଲାଗିଛି । ଭାରତରେ ୩୦୦ରୁ ଅଧିକ ଜଣ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଲେ ଏହି ଭାଇରସରେ ଆକ୍ରାନ୍ତ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ତେବେ ଓଡିଶାରେ ୨ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ଗାଇଡ ଲାଇନ ମାନ ଜାରି କରୁଛନ୍ତି ।