ଗଞ୍ଜାମ (ଏଟିଆର ବ୍ୟୁରୋ): ପରିବା ବିକି ଘରକୁ ଯାଇଥିଲେ ସଉଦା କିଣା ହାଇଥାନ୍ତା । ଘରେ ପାଞ୍ଚପ୍ରାଣୀ ଅନେଇ ବସିଥିଲେ । ହେଲେ ଆଉ ଫେରିଲେ ନାହିଁ କନକ । ଲିଭିଗଲା ଜୀବନ ଦୀପ । ପରିବା ବିକିବାକୁ ବଜାର ଯାଉଥିବା ବେଳେ ମାଡିଗଲା ଟ୍ରକ । ଏମିତି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ନିକଟରେ ଥିବା ରଣ୍ଡା ଛକ ନିକଟରେ । ସୂଚନାଅନୁସାରେ ବରିବା ବିକାଳି କନକ ବେହେରା ପ୍ରତିଥର ଭଳି ଆଜି ସକାଳେ ରଣ୍ଡାଛକକୁ ପରିବା ବିକିବା ପାଇଁ ପରିବା ଝୁଡି ଧରି ଆସିଥିଲେ ।
ରାସ୍ତା ପାର ହେବା ସମୟରେ ସେହି ରାସ୍ତା ଦେଇ ଦ୍ରୁତଗତିରେ ଏକ ଟ୍ରକ ଆସୁଥିଲା । ଯାହା ସିଧା ସଳଖ କନକଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ତଳରେ ହିଁ କନକଙ୍କର ମୃତ୍ୟୁ ହୋଇଥିଲା । ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ଉତ୍ୟକ୍ତ ଲୋକେ ରାସ୍ତା ରୋକ କରିଛନ୍ତି ।
ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଗାଡି ମୋଟର ଠିଆ ହୋଇ ରହିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରଙ୍କୁ ମଧ୍ୟ ଗ୍ରାମବାସୀମାନେ ଅଟକ ରଖିଥିବା ଜଣା ପଡିଛି । ଏହି ଛକରେ ବାରମ୍ବାର ଦୁର୍ଘଟଣା ହେଉଛି ଏ ନେଇ ଗ୍ରାମବାସୀ ମାନେ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଯାହା ଫଳରେ ଦୁର୍ଘଟଣାରେ ନିରିହ ଜୀବନ ଚାଲି ଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ।