ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଆଉ ନାହାନ୍ତି ବିଶିଷ୍ଟ ଚଳଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକ । ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭାଇ ଅମୀୟ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେବ ଅସୁସ୍ଥତା କାରଣରୁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ତେବେ ସେଠାରେ ଆଜି ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ଓଡିଆ ଫିଲ୍ମଶିଳ୍ପରେ ତାଙ୍କର ଅବଦାନ ଥିଲା ଅତୁଳନୀୟ । ସେ ଅନେକ ଓଡିଆ ଚଳଚିତ୍ରର ନିର୍ଦ୍ଦେଶନା ଦେବା ସହ ପ୍ରଯୋଜନା ମଧ୍ୟ କରିଛନ୍ତି । ତାଙ୍କ ପ୍ରଥମ ଚଳଚିତ୍ର ‘ହାକିମବାବୁ’ ଦର୍ଶକଙ୍କ ମନରେ ବେଶ ଆଦୃତି ଲାଭ କରିପାରିଥିଲା । ଏହି ଫିଲ୍ମ ସେହି ବର୍ଷ ଓଡିଆ ଫିଲ୍ମ ବର୍ଗରେ ଜାତୀୟ ଚଳଚିତ୍ର ପୁରସ୍କାର ଲାଭ କରିପାରିଥିଲା । ତାଙ୍କର ପ୍ରଥମ ନିଦ୍ଦେର୍ଶିତ ଫିଲ୍ମ ଥିଲା ’ମମତା ମାଗେ ମୂଲ’ । ଅନ୍ୟ ଫିଲ୍ମ ଗୁଡିକ ମଧ୍ୟରେ ‘ପୁଅ ମୋର କଳା ଠାକୁର’, ‘ଚକା ଆଖି ସବୁ ଦେଖୁଛି’, ‘ପରଦେଶୀ ବାବୁ’, ‘ପୁଅ ମୋର କଳା ଠାକୁର’, ‘ପରୀ ମହଲ’ ଓ ‘ଚକାଡୋଳା କରୁଛି ଲୀଳା’ ରହିଛି । ଏହି ସବୁ ଚଳଚିତ୍ର ଗୁଡିକ ହିଟ ମଧ୍ୟ ହୋଇଥିଲା ।
ତେବେ ଅତି ନିକଟରେ ସେ ଏକ ଫିଲ୍ମରେ ନିର୍ଦ୍ଦେଶନା ଦେବା ସହ ପ୍ରଯୋଜନା ମଧ୍ୟ କରିଥିଲେ । ସେ ସମାଜ ସେବୀ ତଥା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିଥିଲେ । ତୁଳସୀ ଅପା ନାମକ ଏହି ଫିଲ୍ମ ଦର୍ଶକଙ୍କ ମଧ୍ୟରେ ବେଶ ପ୍ରଶଂସିତ ହୋଇଥିଲା । ତାଙ୍କ ମୃତ୍ୟୁ ସମ୍ପୁର୍ଣ୍ଣ ଓଲିଉଡ ଜଗତ ସ୍ଥବ୍ଦ ହୋଇଯାଇଛି । ବିଭିନ୍ନ ଆଡୁ ଅମୀୟଙ୍କ ମୃତ୍ୟୁକୁ ନେଇ ଶୋକ ବାର୍ତ୍ତା ଛୁଟି ଆସୁଛି ।