ଭୁବନେଶ୍ୱର,(ଏଟିଆରବ୍ୟୁରୋ):ନାଇଁ ନାଇଁ ଜମା ହେବନି… । ଟଙ୍କା ୫୦ ତଳକୁ ଖସିଲେ କଥା ବାର୍ତ୍ତା ନାହିଁ… । ତମେ ଜାଣିଛ ତମର କେଉଁ ଭଳି ମାମଲା.. । ସିଭିଲ୍ କେସ୍ରେ ପୁଲିସ୍ ଜମା ମୁଣ୍ଡ ଖେଳାଇବା କଥା ନୁହେଁ । କୋଟ ଯାଅ ଲକ୍ଷେ ଗଣିବ.. । ମୁଁ ବୋଲିକି ତମକୁ ବଞ୍ଚେଇ ଦେଉଛି । ନ ହେଲେ ନାମ ନେବାଟା ଥୟ । ଅଭିଯୋଗ କାରିକୁ ଏଭଳି କଅଁଳିଆ ବଚନ ଓ ପୁଲିସିଆ ଷ୍ଟାଇଲ୍ରେ ନାମ ନେବା କଥା କହୁଥିବା ଅଫିସର ଏବେ ନିଜେ ଶହେ ଶହେରେ ନାମ ନେଇଛନ୍ତି । ଅନ୍ୟକୁ ଜେଲ୍ର ବାଟ ଦେଖାଉଥିବା ପୁଲିସ ବାବୁ ଏବେ ନିଜେ ବନ୍ଧା ହୋଇଛନ୍ତି । ଏ କରିତ କର୍ମା ଅଫିସର ଆଉ କେହି ନୁହେଁ ଧଉଳି ଥାନା ଏସ୍ଆଇ ପ୍ରଦୀପ ମହଲା ।
ଭିଜିଲାନ୍ସ ରିପୋର୍ଟ ମୁତାବକ, ଚିତ୍ତ୍ ରଞ୍ଜନ ପାଣିଙ୍କର ଧଉଳି ଥାନା ଅଞ୍ଚଳରେ ଜମି ବାଡି ମାମଲା ଥିଲା । କୋର୍ଟରେ କେସ୍ ବି ହୋଇ ଗଲା । ଏମିତିକି ୱାନସିସି କେସ୍ ବି ହୋଇଗଲା । ଏହି ସମୟରେ ବାଟ ବଣା ହୋଇ ଥାନାରେ ପହଞ୍ଚିଲେ ଚିତ୍ତ । ଏହି ସମୟରେ ମହଲା ବାବୁ କହିଲେ ୫୦ ହଜାର ଦିଅ କାମ ହୋଇଯିବ । ଚିତ୍ତ ତାଙ୍କୁ ଟଙ୍କା କମ୍ କରିବାକୁ କହିଲେ । ହେଲେ ସେ ନୋଛଡ ବନ୍ଧା । ୫୦ ହଜାରରୁ ତଳକୁ ଖସିଲେ ନାହିଁ । ଓଲଟା ଚିତ୍ତକୁ କହିଲେ ଏ ଟଙ୍କା ସବୁ କଣ ମୁଁ ନେବି ବୋଲି ଭାବୁଛକି … । ମତେ ଉପର ମୁଣ୍ଡରେ ଦବାକୁ ପଡ଼ିବ । ସିପି ଡିସିପି ଏସିପି ଆଇଆଇସି ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପରେ ଯାହା ବଳିବ ମୁଁ ପାଇବି ।
ଏହା ଶୁଣି ଚିତ୍ତ ଭାବିଥିଲେ ମେହଲା ବାବୁଙ୍କର ଉପରେ ଭଲ ହାତ ରହିଛି । ରାଜି ହୋଇ ପ୍ରଥମେ ୨୦ ହଜାର ଦେଇଥିଲେ । ଟଙ୍କା ନେବାର ୬ ମାସ ପରେ ବି କିଛି ହୋଇ ନଥିଲା । ଆଜି କାଲି କହି ଦିନ ଗଡ଼ାଇ ଚାଲିଥିଲେ ଏସ୍ଆଇ ମହଲା । ରବିବାର ଦିନ ମହଲା ଚିତ୍ତକୁ ଫୋନ୍ କରି ଥାନାକୁ ଡାକିଥିଲେ । କହିଥିଲେ ୩୦ ହଜାର ମଙ୍ଗଳବାର ଦିନ ଧରିକି ଆସ କାମ ହୋଇଯିବ । ଏହାପରେ ପରେ ଚିତ୍ତ୍ କିଛି ବାଟ ନ ପାଇ ଭିଜିଲାନ୍ସ ସେଲର ସହଯୋଗ ଲୋଡିଥିଲେ । ପୂରା ପ୍ଲାନିଂରେ ଜାଲ ବିଛାଇଲା ଭିଜିଲାନ୍ସ । ଆଉ ଆଜି ଟଙ୍କା ନେଲା ବେଳେ ସିଧା ମାଡ଼ି ବସିଲା । ଭିଜିଲାନ୍ସ ଜାଲରେ ପଡ଼ିବା ପରେ ପୂରା ଝାଳ ନାଳ ହୋଇଗଲେ ଏସ୍ଆଇ ମହୋଦୟ । ହେଲେ ଆଉ ବାଟ ନଥିଲେ । ନେଡି ଗୁଡ଼ କହୁଣିକୁ ବୋହି ଯାଇଥିଲା.. । ଏବେ ଭିଜିଲାନ୍ସ କବ୍ଚାରେ ଏସଆଇ ବାବୁ । ତେବେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ କମିଶନରେଟ୍ ପୁଲିସରେ ୩ ଟି ଆଇଆଇସି ଓ ୪ ଟି ଏସଆଇ ଲାଞ୍ଚ ନେଇ ଧରାପଡ଼ିଥିଲେ । ବଡ଼ କଥା ହେଲା କମିଶନରଙ୍କୁ ଭେଟାଇ ଦେବାକୁ କହି ୨ ହଜାର ଟଙ୍କା ନେଇଥିଲେ କମିଶନରେଟ୍ ପୁଲିସ୍ ମୁଖ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ଏସଆଇ ।