ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଥିବା ବିଭିନ୍ନ ଗ୍ରାମାଞ୍ଚଳ ଗୁଡିକର ରାସ୍ତା ଅତି ସୋଚନୀୟ ଅବସ୍ଥା ହୋଇପଡିଥିବା ଅଭିଯୋଗ ବାରମ୍ବାର ଆସିଥାଏ । ଏହାସହ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ସ୍ଥାନୀୟ ଗ୍ରାମବାସୀଙ୍କ ନିଜ ଉଦ୍ୟମରେ ରାସ୍ତା ନିର୍ମାଣ କରୁଥିା ଦେଖିବାକୁ ମିଳିଥାଏ । ତେବେ ରାସ୍ତା ନିର୍ମାଣ କରିବା ପାଇଁ ସରକାରୀ ସହାୟତା ମିଳିପାରୁ ନଥିବାରୁ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିବା ସହ ବିରୋଧୀଙ୍କ ମଧ୍ୟ ଏହା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଚେଷ୍ଠା କରିଥାନ୍ତି ।
ବିଧାନସଭାରେ ବଜେଟ ଅଧିବେଶନ ଚାଲୁଥିବାରୁ ଆଜି ବିଧାନସଭାରେ ଗ୍ରାମାଞ୍ଚଳର ଦୟନୀୟ ସ୍ଥିତି ସମ୍ପର୍କରେ ଉଭୟ ବିରୋଧୀ ଦଳ ଓ ଶାସକ ଦଳର ନେତାମାନେ ଗୃହରେ ଉଦବେଗ ପ୍ରକାଶ କରିଥିଲେ । ଆଜିର ଅଧିବେଶନର ପ୍ରଶ୍ନକାଳରେ ଗ୍ରାମାଞ୍ଚଳ ରାସ୍ତା ପ୍ରସଙ୍ଗ ଉଠିଥିଲା । ବିଜେଡି ବିଧାୟକ ମନୋହର ରନ୍ଧାରୀ , ଅନନ୍ତ ଦାସ, ବିରୋଧୀ ଦଳର ନେତା ବିଷ୍ଣୁ ସେଠୀ, କୁସୁମ ଟେଟେ , ପ୍ରମୋଦ ମଲ୍ଲିକ ପ୍ରମୁଖ ଏହି ପ୍ରସଙ୍ଗ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ । ଯାହାର ଉତ୍ତରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ୨୦୦୧ ଜନଗଣନା ଅନୁଯାୟୀ ରାଜ୍ୟରେ ୫୦୧୭୮ଟି ଗ୍ରାମ ରହିଛି । ତେବେ ସେଥିରୁ ୨୯୫୩୭ଟି ଗାଁକୁ ରାସ୍ତା ରହିଥିବା ବେଳେ ୧୮୪୭୭ଟି ଗାଁକୁ ରାସ୍ତା କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କରିବା ପାଇଁ ଯୋଜନା ହୋଇଥିଲା । ସେହିପରି ୧୭୦୮୯ଟି ଗାଁକୁ ରାସ୍ତା ମାଧ୍ୟମରେ ସଂଯୋଗ କରିବାକୁ ଅର୍ଥ ମଞ୍ଜର ହୋଇଥିଲା । ଏଥିମଧ୍ୟରୁ ୧୬୩୪୭ଗାଁକୁ ସଂଯୋଗ ସରିଥିବା ବେଳେ ୭୩୨ଟି ଗାଁକୁ ସଂଯୋଗ କାମ ଚାଲିଛି ।
ଏହାଛଡା ପ୍ରଧାନମନ୍ତ୍ରୀ ସଡକ ଯୋଜନା -୨ରେ ୧୬୧୫. ୫୧ କୋଟି ଟଙ୍କା ଅନୁମୋଦନ ହୋଇଛି । ୧୮ ଟି ଆଇଏପି ଜିଲ୍ଲାର ୨୫୦ରୁ ଅଧିକ, ନନ୍ ଆଇଏପି ଜିଲ୍ଲାର ୫୦୦ରୁ ଅଧିକ ଓ ମାଓବାଦୀ ପ୍ରବଣ ଅଞ୍ଚଳରେ ଶହେରୁ ଅଧିକ ଗାଁକୁ ରାସ୍ତା କାମ ହେଉଛି । ଏହା ବ୍ୟତିତ ଆବଶ୍ୟକ ସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ରାସ୍ତା ନିର୍ମାଣ ପାଇଁ ଅର୍ଥ ବରାଦ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ବାଚସ୍ପତି ସୂର୍ଯ୍ୟ ପାତ୍ର ଯୋଜନା ଓ ସଂଯୋଜନା ବିଭାଗ ଭଳି ଗ୍ରାମ୍ୟ ଉନ୍ନୟନ ବିଭାଗ ଏକ ୱେବସାଇଟ କରିବା ସହ ଅର୍ଥ କେଉଁଭଳି ଖର୍ଚ୍ଚ ହେଉଛି ତାହା ଦର୍ଶାଇବାକୁ ପରାମର୍ଶ ପ୍ରଦାନ କରିଥିଲେ । ଏହା ହେବା ଦ୍ୱାରା ବିଧାୟକମାନେ ସମସ୍ତ ତଥ୍ୟ ସମ୍ପର୍କରେ ଜାଣିପାରିବେ ବୋଲି କହି ବାଚସ୍ପତି ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ପରାମର୍ଶ ପ୍ରଦାନ କରିଥିଲେ ।