ଜଗତସିଂହପୁର ( ଏଟିଆର ବ୍ୟୁରୋ): କିଛି ଦିନ ହେଲା ଅସୁସ୍ଥ ହୋଇପଡିଥିବା ତିର୍ତ୍ତୋଲ ବିଜେଡି ବିଧାୟକ ପ୍ରାର୍ଥୀ ବିଷ୍ଣୁ ଦାସ ବର୍ତ୍ତମାନ ସୁସ୍ଥ ହୋଇଛନ୍ତି । ବିଷ୍ଣୁ ଦାସ ନାମାଙ୍କନ ପରେ କିଛି ଦିନ ଶାରିରୀକ ଅସୁସ୍ଥ ହୋଇପଡିଥିଲେ । ଯେଉଁଥିପାଇଁ ତାଙ୍କୁ ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳୁନଥିଲା । ବିଷ୍ଣୁ ଅସୁସ୍ଥ ଥିଲେ ସୁଦ୍ଧା ତାଙ୍କ ପୁଅ ବିଜୟ ଶଙ୍କର ଦାସ ଦଳୀୟ ପ୍ରାର୍ଥୀଙ୍କ ସହିତ ବାପାଙ୍କ ପାଇଁ ପ୍ରଚାର ଜୋରଦାର ଚଳାଇଥିଲେ ।
ଚଳିତ ଥର ପ୍ରଥମ ଥର ପାଇଁ ବିଷ୍ଣୁ ତିର୍ତୋଲ ନିର୍ବାଚନ ମଣ୍ଡଳିରୁ ପ୍ରାର୍ଥୀ ହୋଇଛନ୍ତି । ତିର୍ତୋଲ ପାଇଁ ନୂଆ ଲୋକ ହୋଇଥିବା ବେଳେ ଏପଟେ ତାଙ୍କ ଅସୁସ୍ଥତା ସେଠାକାର କର୍ମୀଙ୍କୁ ଚିନ୍ତାରେ ପକାଇଥିଲା । ଅନ୍ୟପଟେ ତିର୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ସହିତ ମଧ୍ୟ ବିଷ୍ଣୁଙ୍କ ସୁସଂପର୍କ ନଥିବାରୁ ସେଠାରେ ରାଜଶ୍ରୀଙ୍କ ସମର୍ଥକ ତାଙ୍କୁ ସମର୍ଥନ କରିବେ କି ନାହିଁ ତାହା ଦ୍ୱନ୍ଦରେ ରହିଥିଲା । ଅନ୍ୟପକ୍ଷେ ବର୍ତ୍ତମାନ ମୋଦି ହାୱା ବୋହୁଥିବାରୁ ବିଜେପି ମଧ୍ୟ ପ୍ରଚାରକୁ ସରଗରମ କରିଛି ।
ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇ ଷ୍ଟାର ପ୍ରଚାରକ ଆଣି ପ୍ରଚାର କରିଛନ୍ତି ଯାହା ବିଷ୍ଣୁଙ୍କ ସମର୍ଥକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ବର୍ତ୍ତମାନ କିନ୍ତୁ ବିଷ୍ଣୁଙ୍କ ସୁସ୍ଥ ହେବାର ଖବର ଶୁଣି ତାଙ୍କ ସମର୍ଥକ ମାନେ ଉତ୍ସାହିତ ହୋଇପଡିଛନ୍ତି । ତେବେ ସେ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବଂ ଆଜି ପ୍ରଚାରରେ ମଧ୍ୟ ସାମିଲ ହୋଇଛନ୍ତି । ସେ ଆସନ୍ତା ୨୫ ତାରିଖରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି ।