ପୁରୀ(ଏଟିଆର ବ୍ୟୁରୋ):ଆଜିଠାରୁ ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ ହେବାକୁ ଯାଉଛି । କୋଭିଡ କଟକଣାରେ କିଛିଟା କୋହଳ କରିବା ସହ ମହାପ୍ରଭୁଙ୍କ ଦର୍ଶନ ଲାଗି ଖୋଲା ବ୍ୟବସ୍ଥା ରହିଛି । କୋଭିଡ ନେଗେଟିଭ ରିପୋର୍ଟ ଆବଶ୍ୟକ ନ ଥିଲେ ମଧ୍ୟ ସାମାଜିକ ଦୂରତା , ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ସହ ଏସଓପି ମାନି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।
ସକାଳ ୬ ଟାରୁ ୭ ଟା ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ବେଳେ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସପ୍ତାହକୁ ଗୋଟେଦିନ ଅର୍ଥାତ ରବିବାର ଦର୍ଶନ ବନ୍ଦ ରହିବ । ଅନ୍ୟ ଦିନ ମାନଙ୍କରେ ଭକ୍ତମାନେ ଯେପରି ଶୃଙ୍ଖଳାରେ ଦର୍ଶନ କରିପାରିବେ ଏ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି ।
୬୫ ବୟସରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତିଙ୍କ ପାଇଁ କରାଯାଇଥିବା କଟକଣାକୁ ମଧ୍ୟ କୋହଳ କରାଯାଇଛି । ସେହିପରି ବରିଷ୍ଠ ନାଗରିକ , ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖରା ବଡୁଥିବା ନେି ବ୍ୟାରିଗେଟକୁ କନାରେ ଆଚ୍ଛାଦିତ କରିବା ସହ ପିଇବା ପାଣିର ବ୍ୟବସ୍ଥା କରାଯାଇଛି ।
ପ୍ରତିଦିନ ୩୦ ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଏଥି ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏହାସହ ଥର୍ମାଲ ସ୍କ୍ରିନିଂ ସହ ୧୦୦ ଡିଗ୍ରୀ ଉପରକୁ ତାପମାତ୍ରା ଥିଲେ ମନ୍ଦିର ଭିତରକୁ ଛଡାଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି ।