କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଏଣିକି ଜଳପଥରେ ମିଳିବ ଆମ୍ବୁଲାନ୍ସ ସେବା । ଡଙ୍ଗାବୁଡିରେ ଲୋକଙ୍କ ଜୀବନ ଯାଉଥିବାରୁ ଏଭଳି ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ାରେ ଆଜି ବୋଟ୍ ଆମ୍ବୁଲାନ୍ସ ସେବା ଲୋକାର୍ପଣ ହୋଇଛି। ଏହାଦ୍ବାରା କେନ୍ଦ୍ରାପଡ଼ା ଜିଲ୍ଲାର ନଦୀ-ନାଳ ଘେରା ବତୀଘର ଓ ଜମ୍ବୁ ପଂଚାୟତର ୨୫ ହଜାରରୁ ଅଧିକ ଗ୍ରାମବାସୀ ଜଳପଥରେ ଆମ୍ବୁଲାନ୍ସ ସେବା ପାଇପାରିବେ।
ଏହି ଆମ୍ବୁଲାନସରେ ଉଭୟ ଖରିନାସୀ ଓ ମହାନଦୀ ପାର ହୋଇ ପୀଡିତଙ୍କୁ ଚିକିତ୍ସା ପାଇଁ ନିଆଯାଇ ପାରିବ। ଜାତୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗରେ ରାଷ୍ଟ୍ରୀୟ ଆମ୍ବୁଲାନ୍ସ ସେବା ଯୋଗାଉଥିବା ଏହି ବୋଟ୍ ପାରାଦୀପ ବନ୍ଦର ହସ୍ପିଟାଲ କିମ୍ବା ଏପଟେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇ ପାରିବେ। ଏହି ଆମ୍ବୁଲାନ୍ସରେ ଅକ୍ସିଜେନ, ସାଲାଇନ ଭଳି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ରହିବ । ଆଉ ରୋଗୀକୁ ପ୍ରାଥମିକ ସେବା ଯୋଗାଇଦିଆଯିବ । ଆମ୍ବୁଲାନ୍ସରେ ଜଣେ ଫାର୍ମାସିଷ୍ଟ, ଜଣେ ଆଟେଣ୍ଡାଂଟ ଓ ଦୁଇଜଣ କର୍ମଚାରୀ ରହିବେ ।
ଏଭଳି ପଦକ୍ଷେପକୁ କେତେକ ଲୋକ ସମର୍ଥନ ଜଣାଇଥିବା ବେଳେ ଆଉ କିଛି ଏହାକୁ ନେଇ ବିଭିନ୍ନ ସମାଲୋଚନା କରିଛନ୍ତି । ଦୁର୍ଗମ ଅଞ୍ଚଳରେ ରାସ୍ତା ନଥିବା କାରଣରୁ ବହୁ ରୋଗୀ ଭାରରେ ବୁହା ହେଉଛନ୍ତିି । କୋରାପୁଟ ଜିଲ୍ଲାରେ ବାରମ୍ବାର ଏଭଳି ଚିତ୍ର ଦେଖା ଦେଉଥିଲେ ସୁଦ୍ଧା ସେଠାରେ ଆମ୍ବୁଲାନ୍ସ ପହଁଞ୍ଚିବାର ସୁବିଧା କରୁ ନାହାଁନ୍ତି ସରକାର । କିନ୍ତୁ ପାଣିରେ ଆମ୍ବୁଲାନ୍ସ ସେବା ଯୋଗାଇ ବାଃ ବାଃ ନେବାକୁ ଚେଷ୍ଟା କରୁଛନ୍ତି ବୋଲି ବିରୋଧୀମାନେ ସମାଲୋଚନା କରିଛନ୍ତି । ତେବେ ଏହି ଆମ୍ବୁଲାନ୍ସ ସେବା ଅନ୍ୟ କୌଣସି ଜିଲ୍ଲାରେ ନକରି କାହିଁକି କେନ୍ଦ୍ରାପଡାରେ କରାଗଲା ଏହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ଉଠିଛି । ଦୁଇ ଦିନ ପୂବେ କେନ୍ଦ୍ରାପଡା ଜିଲ୍ଲା ରାଜନୀତିରେ ବଡ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏଭଳି କରାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଆମ୍ବୁଲାନ୍ସ ଲୋକାର୍ପଣ କରିବା ସମୟରେ ଦଳୀୟ ପତାକା ହିଁ ସବୁକିଛି ବୟାନ କରୁଛି ବୋଲି ଲୋକେ କହୁଛନ୍ତି ।