ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗୋଟେ ପଟେ କରୋନାକୁ ଆଉ ଗୋଟେ ପଟେ ବର୍ଷା ଏବେ ଅସ୍ତବ୍ୟସ୍ତ କରି ପକାଇଲାଣି ରାଜ୍ୟକୁ । ଆଉ ଦିନ କେଇଟା ଗଲେ ଶ୍ରାବଣ ମାସ ସରିବ ହେଲେ ଏବେ ବି ମୁଣ୍ଡ ଫଟା ଖରା । ପଦାକୁ ଗୋଡ କାଢିଲେ ଲାଗୁଛି ସତେ ଯେମିତି ଚାଲିଛି ଅପ୍ରେଲ ମାସ । ଇନ୍ଦ୍ର ଦେବତାଙ୍କୁ ରାଣ ଦେଲା ପରି ଗୋଟିଏ ସପ୍ତାହରୁ ଅଧିକ ହେଲାଣି ବର୍ଷା କୁଆଡେ ହଜି ଯାଇଛି ।
ଯାହାକୁ ନେଇ ଏବେ ଚାଷୀକୂଳ ଚିନ୍ତାରେ । ତେବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳର ଅତିପ୍ରବଳ ବର୍ଷା ହୋଇପାରେ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏବଂ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ।
ଏନେଇ କେତେକ ଜିଲ୍ଲାରେ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ଆଜି ଅପରାହ୍ନ ସୁଦ୍ଧା ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, କଟକ, ବାଲେଶ୍ୱର, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।