କଟକ(ଏଟିଆର ବ୍ୟୁରୋ): ଏବେ ୱେବସାଇଟ ମାଧ୍ୟମରେ ଜାଣି ହେବ କେବେ ମାମଲାର ବିଚାର ତାରିଖ, କିଏ ଏହାର ବିଚାର କରିବେ । ଏହା ସହ କାର୍ଯ୍ୟରତ ଆଇନଜୀବୀଙ୍କ ବିଷୟରେ ମଧ୍ୟ ଜାଣି ହେବ । ଓଡିଶା ହାଇକୋର୍ଟର ନୂତନ ୱେବସାଇଟ ଉଦଘାଟିତ ହୋଇଯାଇଛି । ଗତକାଲି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଝାବେରୀ ଓ ଅନ୍ୟ ବିଚାରପତିଙ୍କ ଉପସ୍ଥିତିରେ ଏହି ୱେବସାଇଟକୁ ଉଦଘାଟନ କରାଯାଇଛି । ଏହି ୱେବସାଇଟର ନାମ ଜଷ୍ଟିସ୍ କ୍ଲକ୍ ରାଖାଯାଇଛି ।
ଏହି ୱେସାଇଟ ମାଧ୍ୟମରେ ଜନସାଧାରଣ ମାନେ ହାଇକୋର୍ଟରେ କାର୍ଯ୍ୟରତ ଆଇନଜୀବୀ, ମାମଲା, ବିଚାର ତାରିଖ ସମ୍ପର୍କରେ ସବୁ ପ୍ରକାରର ତଥ୍ୟ ପାଇପାରିବେ । ଅନ୍ୟପଟେ ଦୃଷ୍ଟିହୀନ ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ୱେବସାଇଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହା ଛଡା ୱେବସାଇଟରେ ଜିଲ୍ଲା କୋର୍ଟ ଓ ଅନ୍ୟ ତଳ କୋର୍ଟରେ ବିଚାର ହେବାକୁ ଥିବା ବହୁ ମାମଲା ସମ୍ପର୍କରେ ତଥ୍ୟ ମିଳିପାରିବ ବୋଲି ସୂଚନା ମିଳିଛି ।