ଭୁବନେଶ୍ୱର(ଏଟିଆର ବ୍ୟୁରୋ): ମାର୍ଚ୍ଚ ୨୧ ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିମାନ ଯୋଗେ ଓଡିଶା ଗସ୍ତରେ ଆସିବେ । ବିନା କୋଭିଡ ଟେଷ୍ଟରେ କୈାଣସି ବ୍ୟକ୍ତି ତାଙ୍କ ପାଖ ମାଡିପାରିବେ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ପ୍ରସ୍ତୁତି ପାଇଁ ଆଜି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷାବେଳେ ଏହି ନିଷ୍ପତ୍ତି ନିଆଯାଇଛି।
ରାଷ୍ଟ୍ରପତିଙ୍କ ପାଖମୁ ଯିବାପାଇଁ ହେଲେ ସମସ୍ତ ପ୍ରକାର ଅଧିକାରୀ,କର୍ମଚାରୀଙ୍କର ଆରଟିପିସିଆର ପ୍ରକ୍ରିୟାରେ କୋଭିଡ ଟେଷ୍ଟ କରାଇବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ରାଷ୍ଟ୍ରପତି ଆସନ୍ତା ୨୧ ତାରିଖରେ ରାଉରକେଲାସ୍ଥିତ ଏନଆଇଟିର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ସହ ରାଉରକେଲା ଇସ୍ପାତ କାରଖାନାର ସୁପର ସ୍ପେଶାଲିଟି ଡାକ୍ତରଖାନାକୁ ଉଦଘାଟନ କରିବେ।
ଏହାପରେ ରାଷ୍ଟ୍ରପତି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ କୋଣାର୍କ ମନ୍ଦିର ମଧ୍ୟ ପରିଦର୍ଶନ କରିବେ ।ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଉରକେଲା ଏନଆଇଟି ସମାବର୍ତ୍ତନ ଉତ୍ସବର ସଭାମଂଚରେ ବସିଥିବା ଥିବା ଅତିଥି, ଶିକ୍ଷାବିତ୍ ଓ ମଂଚ ଉପରକୁ କୌଣସି ପ୍ରକାରର ପ୍ରମାଣପତ୍ର ବା ଡିଗ୍ରୀ ଆଦି ଗ୍ରହଣ କରିବାକୁ ଥିବା ଛାତ୍ରଛାତ୍ରୀଙ୍କ କୋଭିଡ୍ ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ବିମାନବନ୍ଦରଠାରୁ ଆରମ୍ଭ କରି ସଭାସ୍ଥଳ ଓ ରହଣୀ ସ୍ଥାନରେ କୋଭିଡ ନିୟମ କଡାକଡି ଭାବେ ପାଳନ କରାଯିବ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ସମ୍ପୂକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଖୋର୍ଦ୍ଦା ଓ ପୁରୀ ଜିଲ୍ଲାପାଳ ,ଗୃହ ସଚିବ ସଞ୍ଜିବ ଚୋପ୍ରା ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଅଧିକାରୀମାନେ ସାମିଲ ହେବେ ।