ନୟାଗଡ (ଏଟିଆର ବ୍ୟୁରୋ); ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ପାଇଁ ଉଦ୍ୟମ କଲେ ମହିଳା । ତେବେ ଭଗବାନଙ୍କ କୃପାରୁ ବଞ୍ଚି ଯାଇଥିଲେ ସୁଦ୍ଧା କଟକ ବଡ ମେଡିକାଲରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ଜଣା ପଡିଛି । ପୋଡି ହୋଇଥିବା ମହିଳା ହେଲେ ରେବତୀ ନାୟକ । ତାଙ୍କ ଘର ନୟାଗଡ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ କଟରାଝରୀ ଗାଁରେ । ରେବତୀଙ୍କର ଶରୀରର ୯୦ ପ୍ରତିଶତ ପୋଡି ଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ ରେବତୀ ବିବାହିତ ହୋଇଥିଲେ ମଧ୍ୟ କୌଣସି କାରଣରୁ ବାପା ଘରେ ରହୁଥିଲେ । ତାଙ୍କର ତିନୋଟି ଛୁଆ ଅଛନ୍ତି । ବୁଧବାର ଘରେ କେହି ନଥିବା ବେଳେ ରେବତୀ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିବା ଜଣାପଡିଛି । ପଡୋଶୀ ଦେଖିବା ପରେ ତାଙ୍କୁ ଉଦ୍ଧାର କରିଥିଲେ । ପ୍ରଥମେ ତାଙ୍କୁ ନୟାଗଡ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏବଂ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି । ତେବେ ରେବତୀ ଜଣେ ମାନସିକ ବିକୃତ ବୋଲି ତାଙ୍କ ବାପା କହିଛନ୍ତି ।