କେନ୍ଦ୍ରପଡା (ଏଟିଆର ବ୍ୟୁରୋ): ବାପଘରେ ସମସ୍ତକୁ ଛାଡି ଶାଶୁ ଘରକୁ ନିଜର କରିବାରେ ଲାଗିଥିଲା ବହୂ । ସେ ଜାଣିନଥିଲା ଯେ ଶାଶୁଘରେ ମଣିଷ ଖିଆ ରାକ୍ଷସ ରହୁଛନ୍ତି ବୋଲି । ଆଜ୍ଞା ହଁ ସାମାନ୍ୟ ଯୌତୁକ ପାଇଁ ଶାଶୁ ଘର ଲୋକେ ବୋହୂକୁ ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ହୃଦୟ ବିଦାରକ ଘଟଣା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ ଦେଖିବାକୁ ମିଳିଛି ।
ଯୌତୁକ ଲୋଭରେ ଶାଶୁ ସମେତ ତିନି ନଣନ୍ଦ ମିଶି ବୋହୂର ହାତ ଗୋଡ ବାନ୍ଧି କିରୋସିନ୍ ଢାଳି ଏଭଳି ଜଘନ୍ୟ କାଣ୍ଡ କରିଛନ୍ତି । ଯାହା ଚାରିଆଡେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଯୌତୁକ ନିଆଁରେ ଜଳିଯାଇଥିବା ବୋହୂ ଜଣଙ୍କ ହେଉଛନ୍ତି ଭାରତୀ ସ୍ୱାଇଁ । ତାଙ୍କ ଶରୀରର ୮୦ ପ୍ରତିଶତ ପୋଡି ଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଭାରତୀଙ୍କୁ ମୃତ ଘୋଷଣା କରିଛନ୍ତି ।
ଗତକାଲି ପ୍ରାୟତଃ ରାତି୧୧ଟା ବେଳେ ବାଲିସୁଆଁ ଗାଁରେ ଘଟଣାଟି ଘଟିଛି । ଘରୁ ଅଚାନକ୍ ନିଆଁ ହୁତୁହୁତୁ ହୋଇ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଧାଇଁ ଆସିଥିଲେ । ମାତ୍ର ଦେଖିଲା ବେଳକୁ ଘର ସମେତ ଭାରତୀ ଜଳୁଛନ୍ତି । ସେଠାରେ ପଡୋଶୀ ଭାରତୀଙ୍କୁ ଉଦ୍ଧାର କରି ନେଇ ହସ୍ପିଟାଲରେ ଭିର୍ତ୍ତି କରିଥିଲେ ।
ଭାରତୀଙ୍କ ସ୍ୱାମୀ ଏବଂ ଶ୍ୱଶୁର ଚାକିରୀ ପାଇଁ ଘର ବାହାରେ ରହୁଥିବାର ଫାଇଦା ଉଠାଇ ଶାଶୁ ଓ ନଣନ୍ଦମାନେ ମିଶି ଏଭଳି କାଣ୍ଡ ରଚିଛନ୍ତି । ଏହାସହିତ ଭାରତୀଙ୍କର ଏକ ପାଞ୍ଚ ମାସର ଝିଅ ଅଛି ବୋଲି ଜାଣିବାକୁ ମିଳିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଶାଶୁ ଓ ନଣନ୍ଦଙ୍କୁ ଅଟକ ରଖି ପଚରା ଉଚରା କରୁଛି ।