ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଶେଷରେ ଫିଟିଲା ଗୁମର । ଟ୍ରେନ ଭିତରୁ ମହିଳାଙ୍କ ଗଣ୍ଡି ମିଳିବା ଘଟଣାର ପର୍ଦ୍ଦାଫାସ ହୋଇଛି । ୭ମାସର ଛକପଞ୍ଝା ପରେ ଶେଷରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଆଉ କେହିନୁହେଁ ବରଂ ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ସ୍ୱାମୀ । ତା’ ନାଁ ବାମନ ଚରଣ ମଲ୍ଲିକ ଓରଫ କପିଳ । ଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କଣ୍ଟାବଣିଆ ଗାଁ । ଟ୍ରେନ ବାର୍ଥରୁମରେ ନିଜ ହାତରେ ସେ ତା’ର ପତ୍ନୀକୁ ମୁଣ୍ଡକାଟି ଅଲଗା କରିଥିଲା ବୋଲି କପିଳ ନିଜେ ସ୍ୱୀକାର କରିଛି । ଗତବର୍ଷ ଜୁନ ୨୦ରେ ଘଟିଥିଲା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ । ପୁରୀ ଷ୍ଟେସନ ୱାସିଙ୍ଗ ଲାଇନରେ ଗୁଣୁପୁର-ପୁରୀ ପାସେଞ୍ଜର ଟ୍ରେନରୁ ମିଳିଥିଲା ମହିଳାଙ୍କ ମୁଣ୍ଡ ନଥିବା ମୃତଦେହ । ପୂରା ବିଭତ୍ସ ଭାବେ ମହିଳାଙ୍କୁ ହତ୍ୟା କରାଯାଇଥିଲା । ସେପଟେ ଡେଲାଙ୍ଗ ପାଖରୁ ମିଳିଥିଲା କଟାମୁଣ୍ଡ । ଘଟଣାକୁ ନେଇ ସବୁଠି ହଇଚଇ ହୋଇଥିବା ବେଳେ ମୁଣ୍ଡବିନ୍ଧା ହୋଇଥିଲା ପୁଲିସ । ମହିଳାଙ୍କ ପରିଚୟ ବି ପାଇବା ମୁସ୍କିଲ ହୋଇଥିଲା ପୁଲିସ ଲାଗି? ହେଲେ ୭ମାସ ପରେ ଶେଷରେ ପୁଲିସ ହାବୁଡରେ ପଡିଛି ଅଭିଯୁକ୍ତ ।
ରିପୋର୍ଟ ଅନୁସାରେ, ପୁନେର ଏକ କମ୍ପାନୀରେ କାମ କରେ କପିଳ । ୨୦୧୩ ଜୁଲାଇ ୧୩ରେ ସେ ଗିତାଞ୍ଜଳୀଙ୍କୁ ବିବାହ କରିଥିଲା । ତେବେ ବାହାଘର ପରେ ସେ ପୁନେ ପଳାଇବାରୁ ଗିତାଞ୍ଜଳୀଙ୍କୁ ଆଉ ସମୟ ଦେଇପାରିନଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡ଼ା । ସବୁବେଳେ କପିଳଙ୍କ ପାଖରେ ରହିବାକୁ ଚାହୁଁଥିଲେ ଗିତାଞ୍ଜଳୀ । ସେପଟେ ବାହାଘର ୫ବର୍ଷ ପରେ ବି ସେମାନଙ୍କର କୌଣସି ସନ୍ତାନ ନଥିଲା । ପରିବାର ଓ ଶ୍ୱଶୁର ଘର ଲୋକେ ଗିତାଞ୍ଜଳୀଙ୍କୁ ପୁନେ ନେଇଯିବା ଲାଗି କପିଳଙ୍କୁ କହୁଥିଲେ । ଯେଉଁଥିରେ ଆଦୌ ରାଜି ନଥିଲେ କପିଲ । ତେଣୁ ସେ ସବୁଦିନ ଲାଗି ଗିତାଞ୍ଜଳୀଙ୍କୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲେ ।
କେମିତି ଥିଲା ପୂରା ଘଟଣାର ମୋଡ
ସେଦିନ ଥିଲା ଜୁନ ୧୯ ତାରିଖ । ଗିତାଞ୍ଜଳୀଙ୍କୁ ଧରି କପିଳ ପୁନେ ବାହାରିଥିଲେ । ତେବେ ଯିବା ପୂର୍ବରୁ ଜଗନ୍ନାଥଙ୍କ ଦର୍ଶନ ବାହାନା କରି ପୁରୀ ଯାଇଥିଲେ । ସେଠାରେ ଚାଲାକ କରି କପିଳ ଟ୍ରେନ ନମ୍ବର ୫୮୪୧୭ରେ ଗିତାଞ୍ଜଳୀଙ୍କୁ ଧରି ଚଢ଼ିଥିଲେ । ଏକ ଦମ ଫାଙ୍କା ବଗିରେ ବସିଥିଲେ । ଟ୍ରେନଟି ଆଗକୁ ଗଡିଥିଲା । ତେବେ ଟ୍ରେନରେ ବସିବା ପରେ ଗିତାଞ୍ଜଳୀ ବାର୍ଥରୁମ ଯାଇଥିଲେ । ପୂର୍ବରୁ ପ୍ଲାନିଂ କରିଥିବା କପିଳ ବି ସୁଯୋଗ ଦେଖି ହାତରେ ଛୁରୀ ଧରି ବାର୍ଥରୁମ ଯାଇଥିଲେ । ସେଠି ଯୋଜନାବଦ୍ଧ ଭାବେ ତାଙ୍କ ତଣ୍ଟି ଦେଇଥିଲେ । ଗିତାଞ୍ଜଳୀଙ୍କ ଦେହରୁ ପୂରା ମୁଣ୍ଡ ଅଲଗାକରିଦେଇଥିଲା । ଆଉ ଟ୍ରାକ ଉପରେ ହିଁ କଟାମୁଣ୍ଡକୁ ଫିଙ୍ଗି ଦେଇଥିଲା ।
କେମିତି ଫିଟିଲା ଗୁମର
ସ୍ତ୍ରୀ ଗିତାଞ୍ଜଳୀଙ୍କୁ ହତ୍ୟା କରିବା ପରେ ପ୍ରଥମେ କପିଳ ଖୋର୍ଦ୍ଧା ରୋଡ ଷ୍ଟେସନରେ ଓହ୍ଲାଇପଡିଥିଲା । କିଛି ଜାଣନଥିବା ଭଳି ଟିକେଟ କରି ସେ ପୁନେ ପଳାଇଥିଲା । ସମସ୍ତେ ଭାବୁଥିଲେ ଗିତାଞ୍ଜଳୀ ପୁନେରେ ରହିଛନ୍ତି । ହେଲେ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ଯେତେବେଳେ ବି ସେ ଗିତାଞ୍ଜଳୀଙ୍କ ସହ କଥା ହେବାକୁ ଚାହୁଁଥିଲେ କୌଣସି ନା କୌଣସି ବାହାନା କରି କପିଳ କଥାକୁ ଏଡାଇ ଯାଉଥିଲା । ତେବେ ଗତ ୧୯ତାରିଖରେ କପିଳ ଗାଁକୁ ଏକା ଫେରିବା ପରେ ସନ୍ଦେହ ଆହୁରି ଦୃଢ଼ିଭୁତ ହୋଇଥିଲା । ଶେଷରେ ଶ୍ୱଶୁରଘର ଲୋକଙ୍କ ଘନଘନ ପ୍ରଶ୍ନରେ ପାଟି ଖୋଲିଥିଲା କପିଳ । ମାନିଥିଲା ପୂରା ଘଟଣା । ଖବର ପାଇ ମଙ୍ଗଳପୁର ଥାନା ପୁଲିସ କପିଳକୁ ଗିରଫ କରିବା ପରେ ଏବେ ତାକୁ ପୁରୀ ଜିଆରପି ପୁଲିସକୁ ହସ୍ତାନ୍ତର କରାଯାଇଛି । ଜିଆରପି କପିଳଙ୍କୁ ଗିରଫ କରି ଘଟଣାର ଛାନବିନ ଆରମ୍ଭ କରିଛି ।