ବରଗଡ(ଏଟିଆର ବ୍ୟୁରୋ): ପାଖେଇ ଆସିଲାଣି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆଉ ଅଳ୍ପ ଦିନ ପରେ ଲାଗିବ ଗହଳି ଚହଳି । ଏଥିପାଇଁ ବରଗଡ ସହର ପାଲଟିବ ମଥୁରା ନଗରୀ ।
୧୦ଦିନ ଧରି ମଥୁରା ନଗରୀରେ ଚାଲିବ କଂସ ଶାସନ, ଗୋପପୁରରେ ଶ୍ରୀକୃଷ୍ଣ, ବଳରାମଙ୍କ ଲୀଲା ଓ ପ୍ରେମରେ ମଗ୍ନ ହେବେ ଗୋପି । ମଥୁରାରେ କଂସ ରାଜଙ୍କ ମହାପ୍ରତାପ ଓ ଗୋପପୁରରେ କୃଷ୍ଣ ଲୀଳା ଦେଖିବାକୁ ବଡ ଉତ୍ସାହରେ ଅନାଇ ବସିଛନ୍ତି ବରଗଡ ବାସୀଙ୍କ ସମେତ ପୁରା ଦେଶ ।
କଳାକାରମାନେ ନିଜ ଅଭିନୟର ଅଭ୍ୟାସକୁ ଶେଷ ସ୍ପର୍ଶ ଦେଉଥିବା ବେଳେ ବରଗଡରେ ସୁଉଚ୍ଚ ତୋରଣ ମାନ ମଧ୍ୟ ମୁଣ୍ଡ ଟେକି ଛିଡା ହେଲେଣି ।ରଙ୍ଗମହଲ, ରାଜ ଦରବାର, ନନ୍ଦ ଦରବାରକୁ ଚୁଡାନ୍ତ ରୁପ ଦେବାରେ କାରିଗର ମାନେ ମଧ୍ୟ ଲାଗିପଡିଛନ୍ତି ।
ଧନୁଯାତ୍ରା ପାଇଁ ପୁରା ବରଗଡ ଉତ୍ସବ ମୁଖର ହୋଇ ପଡିଥିବା ବେଳେ ଶ୍ରୀକୃଷ୍ଣଙ୍କୁ ସ୍ୱାଗତ କରିବା ପାଇଁ ଭିନ୍ନ ଭିନ୍ନ ଆୟୋଜନ କରାଯାଉଛି । ଏବେଠାରୁ ଗୋପପୁରରେ କୃଷ୍ଣ ଲୀଳାର ଝଲକ ଦେଖିବାକୁ ମିଳିଲାଣି ।ସହରର ବିଭିନ୍ନ ମୁଖ୍ୟ ଜାଗା ମାନଙ୍କରେ ରଙ୍ଗବେରଙ୍ଗର ଆଲୋକ ତୋରଣ ମାନ ସଜେଇ ହେଲେଣି ।
ଚଳିତ ବର୍ଷ ଧନୁଯାତ୍ରା ଡିସେମ୍ବର ୩୧ରୁ ଆରମ୍ଭ ହୋଇ ଜାନୁଆରୀ ୧୦ ପର୍ଯ୍ୟନ୍ତ ଚାଲିବ ।