ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କିଛି ଦିନ ହେବ କଳାବୈଶାଖି ଦେଖିବାକୁ ମିଳୁଛି । ସେହିପରି ଆସନ୍ତା ୮ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୦ ତାରିଖରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଏହି ବର୍ଷା ମୌସୁମୀକୁ ଓଡିଶାକୁ ଟାଣିଆଣିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗରୁ ସୂଚନା ମିଳିଛି । ବଙ୍ଗପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିବ ।
ତେବେ ଆଜି ରାଜ୍ୟର ଗୋଟିଏ କି ଦୁଇଟି ସ୍ଥାନରେ କଳାବୈଶାଖି ହେବାକୁ ଥିବା ବେଳେ ଆସନ୍ତାକାଲି କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଏହି ଜିଲ୍ଲା ଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ରାଜ୍ୟରେ ଗ୍ରୀଷ୍ମପ୍ରଭାବ କମିବାରେ ଲାଗିଛି । ରାଜ୍ୟରେ ପାରଦ ସ୍ତର ଏବେ ୪୦ ଡିଗ୍ରି ତଳକୁ ଖସିଛି । ଆଜି ରାଜ୍ୟର ଭବାନୀପାଟଣାରେ ସର୍ବାଧିକ ୩୯ ଡିଗ୍ରୀ ତମପମାତ୍ରା ରେକର୍ଡ କରାଯାଇଛି । ତେବେ କଳାବୈଶାଖି ପାଇଁ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ପାରଦ ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।