କଟକ (ଏଟିଆର ବ୍ୟୁରୋ): କରୋନା ଭାଇରସ ସନ୍ଦେହରେ ପୁଣି ଜଣେ ରୋଗୀ କଟକର ଏସିବି ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି । ରୋଗୀ ଜଣଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ସେ ଚୀନର ହଂକହଂକରେ ଚାକିରି କରିଥିବା ବେଳେ ଏବେ ଓଡିଶା ଫେରିଛନ୍ତି । ଜାନୁଆରୀ ୨୫ ତାରିଖରେ ସେ ଓଡିଶା ଫେରିଥିଲେ । ତାଙ୍କ ରକ୍ତ ଓ ଲାଳ ନମୁନା ଏବେ ପରୀକ୍ଷା ପାଇଁ ପଠାଯାଇଛି । ଫୁଲବାଣୀ ଡାକ୍ତରୀ ଛାତ୍ରଙ୍କ କରୋନା ଭାଇରସ ଟେଷ୍ଟ କରିବା ପାଇଁ ପଠାଯାଇଥିବା ନମୁନା ନେଗେଟିଭ ରହିଥିବା ଜଣାପଡିଛି । ଏନେଇ ମେଡିକାଲ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦେଶକ ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ସେହିଭଳି ଅନ୍ୟ ଯେଉଁ ୫ ଜଣଙ୍କ ନମୁନା ପୁଣେ ପଠାଯାଇଥିଲା ସେମାନଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ରହିଛି ।
ଓଡିଶାରୁ ୬ ଜଣଙ୍କ ରକ୍ତ ନମୁନା ଟେଷ୍ଟ ପାଇଁ ପଠାଯାଇଥିଲା । ସୂଚନାଯୋଗ୍ୟ ଜାନୁଆରୀ ୩୧ ରେ ଜଣେ ଡାକ୍ତରୀ ଛାତ୍ର ଓଡିଶା ଫେରିଥିଲେ । ତାଙ୍କର କାଶ ଥଣ୍ଡା କମୁନଥିବାରୁ ତାଙ୍କୁ କରୋନା ଭାଇରସ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଇଥିଲା । କେବଳ ଚୀନ ନୁହେଁ ଏହି ଭାଇରସ ଏବେ ୨୫ ଟି ଅନ୍ୟରାଷ୍ଟ୍ରକୁ ଛୁଇଁ ସାରିଲାଣି । ଏପଟେ କେରଳ ଏହି ଭାଇରସକୁ ରାଜ୍ୟ ବିପତ୍ତି ଘୋଷଣା କରି ସାରିଲାଣି । କେରଳରେ ଏବେ ୩ ଜଣ ଏହି ଭୂତାଣୁ ଆକ୍ରାନ୍ତ ହୋଇ ସାରିଲେଣି ।ଆଗକୁ ଏହା ଅଧିକ ବ୍ୟାପିବାର ଆଶଙ୍କା ଥିବାରୁ କେରଳ ଏହାକୁ ରାଜ୍ୟ ବିପତ୍ତି ବୋଲି ଘୋଷଣା କରିଛି । ପୂର୍ବରୁ ୨ ଜଣ ଚୀନ ଫେରନ୍ତାଙ୍କ ଦେହରେ ଏହି ଭୂତାଣୁ ଥିବା ଚିହ୍ନଟ ହୋଇଥିଲା ।