ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧାର୍ମିକ ପରମ୍ପରା ଅନୁସାରେ ଗୋ ସେବା ହେଉଛି ମାଧବ ସେବା । ଦୈବିକ ଯୁଗରୁ ଆଜି ପର୍ଯ୍ୟନ୍ତ ହିନ୍ଦୁମାନେ କୃଷି ସହ ଗୋ ସମ୍ପଦକୁ ବିଶେଷ ଗୁରୁତର ସହିତ ନେଇଥାନ୍ତି । ଏମିତି କି ଗାଇର ଗୋବର ମଧ୍ୟ ହିନ୍ଦୁ ରିତି ନିତିରେ ସବୁଠୁ ପବିତ୍ର ଜିନିଷ । ହେଲେ ଆଜି ସେହି ଗୋମାତା କେତେ ସୁରକ୍ଷିତ ସେ କଥା ଆପଣ ରାସ୍ତାରେ ଗଲା ବେଳେ ନିଶ୍ଚୟ ଦେଖିଥିବେ । କେଉଁଠି ସଡକ ଦୁର୍ଘଟଣାରେ ଗାଇଟିଏ ଛଟ ପଟ ହେଉଥାଏ ତ ଆଉ କେଉଁଠି ଷଣ୍ଢ ଟିଏ ଗୋଡ ଭାଙ୍ଗି ଅସହାୟ ହୋଇ ପଡିିଥାଏ । ହେଲେ ସେଇ ସବୁ ଅସହାୟ ଗୋରୁ ଗାଈ ଷଣ୍ଢଙ୍କୁ ସହାୟତାର ହାତ ବଢାଇଛି ସାମନ୍ତରାପୁର ନିକଟରରେ ଥିବା ଅସ୍ଥାୟୀ ଗୋ ସେବା କେନ୍ଦ୍ର ।
ଯେଉଁଠି କିଛି ସ୍ଥାନୀୟ ଯୁବକ ମିଳି ମିଶି ଗୋ ସେବା କରୁଛନ୍ତି ।୨୦୧୪ ମସିହା ରେ କିଛି ଯୁବକଙ୍କ ମିଳିତ ସହଯୋଗରେ ଏହି ଗୋ ସେବା କେନ୍ଦ୍ର ଆରମ୍ଭ ହୋଇଥିଲା । ସେବେ ଠାରୁ ଆଜି ପର୍ଯ୍ୟନ୍ତ ଯୁବକ ମାନେ ନିଜ ନିଜ ପକେଟରୁ ପଇସା ଦେଇ ଗୋ ସେବା କରି ଆସୁଛନ୍ତି । ଯେଉଁଠୁ ଖବର ପାଆନ୍ତି ଅସହାୟ ଗାଇ କିମ୍ବା ଷଣ୍ଢ ଟିଏ ପଡି ରହିଛି ସାଙ୍ଗେ ସାଙ୍ଗେ ଏହି ଯୁବକ ମାନେ ସେଠାରେ ହାଜିର ହୋଇ ଯାଆନ୍ତି । ଆଉ ସେ ଅସୁସ୍ଥ ଗାଈ ଗୋରୁକୁ ନିଜ ସେବା କେନ୍ଦ୍ରରେ ଆଣି ଚିକିତ୍ସା କରନ୍ତି । ଏବଂ ପରେ ସେମାନେ ସୁସ୍ଥ ହୋଇଗଲା ପରେ ଯେଉଁଠୁ ସେମାନଙ୍କୁ ଆଣିଥିଲେ ପୁଣି ତାଙ୍କୁ ସେଇଠି ନେଇ ଛାଡି ଦିଅନ୍ତି । ତେବେ ଯୁବକ ମାନଙ୍କର ଏହି ନିଆରା ଉଦ୍ୟମ, ମଙ୍ଗଳମୟ ସାମାଜିକ କାର୍ଯ୍ୟକୁ ନେଇ ସାଧାରଣରେ ବେଶ ପ୍ରସଂସା ମିଳୁଛି ।