ନୂଆପଡ଼ା (ଏଟିଆର ବ୍ୟୁରୋ): ପ୍ରେମ ଏକ ପବିତ୍ର ବନ୍ଧନ । ଦୁଇଟି ମଣିଷ ଯେତେବେଳେ ଏହି ପବିତ୍ର ବନ୍ଧନରେ ବାନ୍ଧି ହୋଇ ରହିଥାନ୍ତି ସେତେବେଳେ ଦୁହେଁ ଦୁହିଁଙ୍କୁ ଅନେକ ପ୍ରତିଶୃତି ମଧ୍ୟ ଦେଇଥାନ୍ତି । ହେଲେ କୌଣସି କାରଣରୁ ଯଦି ଉଭୟ ଉଭୟଙ୍କ ଠାରୁ ଅଲଗା ହୋଇଯାଉଛନ୍ତି ତେବେ ସୃଷ୍ଟି ହେଉଛି ପ୍ରତିଶୋଧର ଭାବନା । ସେହିଭଳି ଏକ ପ୍ରତିଶୋଧର ଭାବନାରେ ପ୍ରେମିକା ନିଜ ପ୍ରେମିକ ଉପରକୁ ଏସିଡ ମାଡ କରିଛି ।
ମିଳିଥିବା ସୂଚନା ମୁତାବକ, ଲଖନା ଥାନା ଅନ୍ତଗର୍ତ ବଙ୍ଗାମୁଣ୍ଡା ଗାଁର ଆଲୋକ ସାହୁ ନାମକ ଜଣେ ଯୁବକ ଗତ ତିନି ବର୍ଷ ହେବ ଜଣେ ଯୁବତୀଙ୍କୁ ଭଲ ପାଇ ଆସୁଥିଲେ । ଆଲୋକ ବିବାହ କରିବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ । ହେଲେ ଏହି ସବୁ ପ୍ରତିଶୃତିକୁ ଭୁଲି ଯାଇ ଗତ ୧୦ତାରିଖ ଦିନ ଅନ୍ୟ କାହାକୁ ବିବାହ କରିବାକୁ ସ୍ଥିର କରିଥିଲେ । ଏହି ଖବର ପାଇବା ପରେ ପ୍ରେମିକା ଜଣକ ରାଗି ଯାଇଥିଲେ । ପ୍ରେମିକା ଜଣକ ଆଲୋକଙ୍କୁ ବୁଝାଇବାକୁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସେ ବୁଝିନଥିଲେ ।
ଅନେକ ଥର ବୁଝାଶୁଝା କରିବା ପରେ ଆଲୋକ ନବୁଝିବାରୁ ପ୍ରେମିକା ଜଣକ ପ୍ରତିଶୋଧ ପରାୟଣ ହୋଇ ପଡିଥିଲେ । ଏହାପରେ ନିଜର ଦୁଇ ବନ୍ଧୁଙ୍କ ସହ ମିଶି ପ୍ରେମିକା ଜଣଙ୍କ ଯୋଜନା ବଦ୍ଧ ଭାବେ ପ୍ରେମିକଙ୍କୁ ଏକ ସ୍ଥାନକୁ ଡାକି ତାଙ୍କ ଉପରକୁ ଏସିଡ ମାଡ କରିଥିଲେ । ଏହି ଏସିଡ ମାଡରେ ଆଲୋକଙ୍କର ଶରୀର ପୋଡି ହୋଇଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ନୂଆପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଏହି ବାବଦରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପ୍ରେମିକା ଓ ତାର ବନ୍ଧୁଙ୍କୁ ଗିରଫ କରିଛି ।