ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ସକାଳୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଗ କୋହଲା ରହିବା ସହ ବର୍ଷା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଓଡିଶାର କୋଷ୍ଟାଲ ଜିଲ୍ଲା ଗୁଡିକରେ ବହୁମାତ୍ରାରେ ବର୍ଷା ହୋଇପାରେ । ସେହିପରି ଆଭ୍ୟନ୍ତରୀଣ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ କିଛି ମାତ୍ରରେ ହୋଇପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଅଜୟ କୁମାର ନାୟକଙ୍କ ସୂଚନାନୁଯାୟୀ, ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛନ୍ତି ।
ପ୍ରବଳ ବର୍ଷା କାରଣରୁ କିଛି ଜିଲ୍ଳା ପାଇଁ ଆଜିଠାରୁ ଆସନ୍ତାକାଲି ଯାଏଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାଂର୍ଣ୍ଣି ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ । ଏହାସହ ୩୦ରୁ ୪୦ କିମି ବେଗରେ ପବନ ବୋହିବାର ମଧ୍ୟ ସମ୍ଭାବନା ରହିଛି । ତେବେ ଆଜି କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟ ଧରଣ ବର୍ଷା ହେବା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେହିପରି ୧୩ଟି ଜିଲ୍ଲାବାସୀଙ୍କୁ ଦିନ ୧ଟା ୩୦ ଯାଏ ସତର୍କ ରହିବାକୁ ପାରମର୍ଶ ଦିଆଯାଇଛି । ସେହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ଢେଙ୍କାନା ଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କଟକ ଓ ନୟାଗଡ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସେପଟେ ଆଜି ହୋଇଥିବା ବର୍ଷାରେ ସବୁଠାରୁ ଅଧିକ କ୍ଷତିଗସ୍ତ କନ୍ଧମାଳ ଜିଲ୍ଲା ହୋଇଛି । ଆଜି ସକାଳ ୫ଟାରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ପ୍ରବଳ ବେଗରେ ବର୍ଷା , ଘଡଘଡି ସାଙ୍ଗକୁ ପବନ ହେବା ଫଳରେ କେତେକ ଘରର ଆଜବେଷ୍ଟ ଭାଙ୍ଗି ଯାଇଛି । ଏହିପରି ବଲାଙ୍ଗିର ଜିଲ୍ଲାରେ ବର୍ଷା କାରଣରୁ ରାସ୍ତାରେ ବଡବଡ ଗଛ ଭାଙ୍ଗିବା ସହ ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯାଇ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି ।