ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ପାଖେଇ ଆସୁଛି ପୂଜା । କରୋନା କଟକଣା ହଟିବା ପରେ ଦୀର୍ଘ ଦୁଇ ବର୍ଷ ପରେ ଧୁମଧାମ୍ ରେ ପାଳିତ ହେବ ପୂଜା । ଏନେଇ ଜୋରଦାରରେ ପ୍ରସ୍ତୁତି ଚାଲିଥିବା ବେଳେ ଏବେ ଘୂର୍ଣ୍ଣିବଳୟକୁ ନେଇ ଲୋକଙ୍କ ମନରେ ଭୟ ଘାରିଛି । କେବଳ ଗୋଟାଏ ନୁହେଁ ଆଗପଛ ହୋଇ ଦୁଇଟି ଘୂର୍ଣ୍ଣିବଳୟ ଆସୁଥିବାରୁ ପୂଜା ବଜାର ବର୍ଷାରେ ଭିଜିବାର ଆଶାଙ୍କା ରହିଛି । ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ପୂର୍ବାନୁମାନ କରିଛି ।
ଆଇଏମଡି ର ପୂର୍ବାନୁମାନ ଅନୁଯାୟୀ, ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରର ଉପକୂଳରେ ଆସନ୍ତା ୨୬ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ । ଏହା ଓଡିଶା ଭିତରକୁ ପଶିବାର ସଂକେତ ମଧ୍ୟ ରହିଛି ।
ସେହିପରି ଆନ୍ଧ୍ରଉପକୂଳରେ ଅକ୍ଟୋବର ୧ ଓ ୨ ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏହା ଉତ୍ତର ପଶ୍ଚିମ ଦିଗକୁ ମୁହାଁଇବାର ସମ୍ଭାବନା ରହିଛି । ଏହାସହିତ ରାଜ୍ୟରେ ୨୩ ତାରିଖରୁ ୨୯ ତାରିଖ ମଧ୍ୟରେ ବର୍ଷା ହୋଇପାରେ । ସେହିପରି ୩୦ ତାରିଖରୁ ୬ ତାରିଖ ମଧ୍ୟରେ ସ୍ୱଭାବିକ ବର୍ଷା ହେବାର ସମ୍ଭାବନା ରହିଛି ।