ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବାତ୍ୟା ତାଣ୍ଡବ ଘଟାଇବା ପୂର୍ବରୁ ସଜାଗ ହୋଇଛି ପ୍ରଶାସନ । ପ୍ରଭାବ ପଡିବାକୁ ଥିବା ସ୍ଥାନରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଏବଂ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଲୋକମାନେ ମଧ୍ୟ ପ୍ରଶାସନକୁ ସହଯୋଗ କରି ଘର ଛାଡି ମୂଲ୍ୟବାନ ସାମଗ୍ରୀ ଧରି ଯାଉଛନ୍ତି । ଓଡ୍ରାଫ ଏବଂ ଏନଡିଆର ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଗାଇ,ଗୋରୁ ଏବଂ ପଶୁ ଜନ୍ତୁଙ୍କୁ ମଧ୍ୟ ପକ୍କା ଘରକୁ ନିଆଯାଉଛି । ପ୍ରଭାବିତ ହେବାକୁ ଜିଲ୍ଲାମାନଙ୍କରେ ଚିକିତ୍ସା ଅଧିକାରୀମାନେ ମଧ୍ୟ ସଜାଗ ରହିଛନ୍ତି ।
ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଏବଂ ପ୍ରଶାସନ ସମ୍ପୂଣ୍ଣ ଭାବରେ ସଜାଗ ରହିଛି । ରାଜ୍ୟର ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । ଏଥି ମଧ୍ୟରୁ ପୁରୀରୁ ୧ ଲକ୍ଷ ୪ହଜାର ହୋଇଥିବା ବେଳେ ଜଗତସିଂହପୁରରୁ ୮୦ ହଜାର ଏବଂ କଟକରୁ ୬୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ପୁରୀ ଜିଲ୍ଲାର ଚିଲିକା ବାତ୍ୟା ଯୋଗୁଁ ଅଧିକ ପ୍ରଭାବିତ ହେବାନେଇ ଆଶଙ୍କା ରହିଛି । ଏଣୁ ଚିଲିକା ନିକଟବର୍ତ୍ତୀ ଅଞ୍ଚଳ ଓ ଜନବସତି ଗୁଡିକୁ ଗୁରୁବାର ଅପରାହ୍ନ ସୁଦ୍ଧା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବାର ସୂଚନା ରହିଛି ।
ବିଶେଷ କରି ମହିଳା, ଗର୍ଭବତୀ ମହିଳା, ଶିଶୁ, ବୟସ୍କ ବ୍ୟକ୍ତି ଓ ଦିବ୍ୟାଙ୍ଗଙ୍କ ସ୍ଥାନାନ୍ତର କରିବା ଉପରେ ଗରୁତ୍ୱ ଦିଆଯାଉଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଏବଂ ଆଜି ସନ୍ଧ୍ୟା ସୁଦ୍ଧା ପ୍ରଭାବିତ ହେବାକୁ ଥିବା ଅଂଚଳର ସମସ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ୫୦୦ ରୁ ୭୦୦ ଲୋକ ଆଶ୍ରୟ ସ୍ଥଳରେ ରହିବେ। ୮୭୯ ବାତ୍ୟା ଆଶ୍ରୟ ସ୍ଥଳ ସହିତ ୩୦୦୧ ଆଶ୍ରୟ ସ୍ଥଳ ରହିଛି । ୧ ଲକ୍ଷ ଖାଦ୍ୟ ପ୍ୟାକେଟ ରହିଛି ।