ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଓଡିଶା ଆଡକୁ ମୁହାଁଉଛି ସାମୁଦ୍ରକି ଝଡ ‘ଫୋନି’ । ଭାରତ ମହାସାଗରରେ ସୃଷ୍ଟି ହୋଇ ଧୀରେ ଧୀରେ ଭାରତର ପୂର୍ବ ଉପକୂଳ ଆଡକୁ ଆଗଉ ଥିବା ଭୀଷଣ ସାମୁଦ୍ରିକ ମହାବାତ୍ୟା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁପ୍ରକାରର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଜିଲ୍ଲା ପ୍ରଶାସନ, ଓଡ୍ରାଫ ଓଏନଡିଆରଏଫ ଟିମକୁ ସଜାଗ ରଖାଯାଇଛି । ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ଗୃହମନ୍ତ୍ରାଳୟ ତୀକ୍ଷଣ ନଜର ରଖିଛି ।
‘ଫୋନି’ ବର୍ତ୍ତମାନ ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୬୨୦ କିଲୋମିଟର ପୂର୍ବ ଦିଗରେ ତଥା ଚେନ୍ନାଇଠାରୁ ୮୪୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇରହିଛି । ଏହା ଆସନ୍ତା ୬ ଘଣ୍ଟା ମଧ୍ୟରେ ଏକ ଭୀଷଣ ସାମୁଦ୍ରିକ ଝଡ଼ ଓ ପରବର୍ତ୍ତି ୨୪ ଘଣ୍ଟା ମଧ୍ୟରେ ଏକ ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେବ । ‘ଫୋନି ‘ପ୍ରଭାବରେ ଦ୍ୱାରା ଆସନ୍ତା ୩୦ ଏପ୍ରିଲ ଓ ୧ ମଇରେ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ପବନର ବେଗ ଏହିସବୁ ରାଜ୍ୟଗୁଡ଼ିକରେ ଘଣ୍ଟାପ୍ରତି ୧୪୫ରୁ ୧୫୫ କିଲମିଟର ଓ କେତେକ କ୍ଷେତ୍ରରେ ୧୭୦ କିଲୋମିଟର ଛୁଇଁବା ଆଶଙ୍କା କରାଯାଉଛି । ଓଡ଼ିଶାରେ ଆସନ୍ତା ୨-୩ ରେ ପ୍ରବଳ ବର୍ଷା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ।
ଆଇଏମଡି ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ମେ’ ୧ ତାରିଖରୁ ଉତ୍ତର ପୂର୍ବ ଦିଗକୁ ଗତି କରି ଓଡ଼ିଶା ମୁହାଁ ହେବ। ଆସନ୍ତାକାଲି ଫୋନି ଅତି ପ୍ରବଳ ବାତ୍ୟାରେ ପରିଣତ ହେବ। ଫୋନି ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୮୦ କିଲୋମିଟର ଛୁଇଁପାରେ। ତେବେ ଏହା କେତେବେଳେ ଓ କେଉଁଠାରେ ଲ୍ୟାଣ୍ଡଫଲ୍ କରିବ, ତାହା ପରେ ଜଣାପଡ଼ିବ।”ମେ’ ୨ ତାରିଖରୁ ଓଡ଼ିଶା ଉପକୂଳରେ ପବନର ବେଗ ବଢ଼ିବ। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିବ। ସ୍ଥଳ ବିଶେଷରେ ୬୦ କି.ମି ବେଗରେ ପବନ ବହିପାରେ। ୩ ତାରିଖରୁ ପବନର ବେଗ ଆହୁରି ବଢ଼ିବ ଓ ବର୍ଷା ହେବ। ୨ ତାରିଖରୁ ଓଡ଼ିଶାରେ ବର୍ଷା ହେବ। ତେବେ ୩ରୁ ପ୍ରବଳ ବର୍ଷା ହେବ।”