ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବାତ୍ୟା ୟାସ୍ କେଉଁଠି ଲ୍ୟାଣ୍ଡଫଲ କରିବ ସେନେଇ ସମସ୍ତଙ୍କ ନଜର ରହିଥିବା ବେଳେ ଏବେ ଲ୍ୟାଣ୍ଡଫଲକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଆସନ୍ତାକାଲି ଧାମରା ପାଖ ଦେଇ ବାତ୍ୟା ୟାସ ଅତିକ୍ରମ କରିବ । ଏନେଇ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ଆଜି ମଧ୍ୟ ରାତ୍ରିରୁ ପବନ ଆରମ୍ଭ ହୋଇଯିବ । ଆସନ୍ତାକାଲି ଭୋର ସୁଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ । ପବନର ବେଗ ୧୫୦ ରୁ ୧୬୦ ରହିବ । ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷୀଣକୁ ସ୍ଥଳଭାଗ ଅତିକ୍ରମ କରିବ ୟାସ୍ । ଉପକୂଳ ଓଡିଶାରେ ଏହି ବାତ୍ୟାର ପ୍ରଭାବ ପଡିବ । ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ଧାମରା ଓ ଚାନ୍ଦବାଲି ବ୍ୟାପକ କ୍ଷୟକ୍ଷତି ହେବାର ଆକଳନ କରାଯାଉଛି ।
ବାତ୍ୟା ୟାଶ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟାକୁ ଦୃଷ୍ଟିରେ ରଖି ଧାମରା ଓ ପରାଦ୍ୱୀପ ବନ୍ଦ ପାଇଁ ୧୦ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଅନ୍ୟପଟେ ପୁରୀରେ ୮ ନମ୍ବର ଏବଂ ଗୋପାଳପୁରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।