ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବଢ଼ୁଛି ସାମୁଦ୍ରିକ ଝଡ ‘ଫୋନି’ର ପ୍ରଭାବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ଏହି ପରୀକ୍ଷା ସବୁ କେବେ ହେବ ତାହା ଘୋଷଣା ହୋଇନାହିଁ। ପରିସ୍ଥିତି ଆୟତ୍ତକୁ ଆସିବା ପରେ ଯାଇ ପରୀକ୍ଷା ଓ ସ୍କୁଲ୍ ଖୋଲିବାର ତାରିଖ ଘୋଷଣା କରାଯିବ। ପ୍ରବଳ ଖରା ଯୋଗୁ ଏପ୍ରିଲ୍ ୧୮ ତାରିଖରୁ ସ୍କୁଲ୍ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ସତ୍ତ୍ୱେ କିଛି ସ୍କୁଲ୍ ଏଯାବତ ଛୁଟି ଘୋଷଣା କରି ନାହାନ୍ତି। ଏଣୁ ସେମାନଙ୍କୁ ନୋଟିସ୍ ଜାରି କରି ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।
ଆସନ୍ତା ୩ ତାରିଖ ଅପରାହ୍ନରେ‘ଫୋନି’ ଓଡିଶା ଉପକୂଳ ଛୁଇଁବ । ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ପୁରୀର ଦକ୍ଷିଣ ପାର୍ଶ୍ବକୁ ଛୁଇଁବ । ଉପକୂଳରେ ପହଞ୍ଚିଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୭୫ରୁ ୧୮୫ କିମି ରହିବ । ବେଳେବେଳେ ପବନର ବେଗ ୨୦୫ କିଲୋମିଟର ଛୁଇଁପାରେ । ଉପକୂଳ ଦେଇ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୩ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଏସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।