ଭୁବନେଶ୍ୱର (ଏଟିଆର ବ୍ୟୁରୋ); କେଇ ଘଣ୍ଟାର ପବନ ଉଜାଡି ଦେଲା ରାଜଧାନୀର ସପନ । ଯେତେବେଳେ ବି ଓଡିଶାରେ ବାତ୍ୟା ଏବଂ ବନ୍ୟା ପରିସ୍ଥିତି ହୋଇଛି ସବୁବେଳେ ରାଜଧାନୀବାସୀ ବର୍ତ୍ତି ଯାଇଛନ୍ତି । କିନ୍ତୁ ‘ଫୋନି’ ଭୁବନେଶ୍ୱରିଆଙ୍କ ନିଦ ହଜେଇ ଦେଇଛି । ନାଁ ଅଛି କରେଣ୍ଟ ନାଁ ଆସୁଛି ପାଣି । ବାତ୍ୟା ହେବାର ୬ଦିନ ବିତିଯାଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ଭୁବନେଶ୍ୱରର ଅବସ୍ଥା ସୁଧୁରୁନି । ଯଦିଓ ବହୁ କର୍ମଚାରୀ କାମରେ ନିୟୋଜିତ ଅଛନ୍ତି ତେବେ ଅନ୍ଧାରରେ ରହୁଛି ରାଜଧାନୀ । ପୂର୍ବରୁ ଚକମକ ଲାଇଟରେ ନୂଆ ବୋହୂ ଭଳି ସଜେଇ ହୋଇ ରହିଥିବା ରାଜଧାନୀର ଅବସ୍ଥା ଏବେ ନକହିବା ଭଲ ।
ଇଲେକ୍ଟ୍ରି ବିନା ଲୋକ ଚଳି ପାରୁଛନ୍ତି । କିନ୍ତୁ ପାଣି ବିନା ସବୁ କିଛି ଅସମ୍ଭବ । ଯେଉଁ କାରଣରୁ ରାଜଧାନୀ ଛାଡି ଏବେ ସବୁ ଗାଁ ମୁହାଁ ହେଉଛନ୍ତି । ତେବେ କେତେକ କଲୋନୀ ଏବଂ ବସ୍ତିରେ ପାଣିର ସୁବିଧା ହୋଇନଥିବାରୁ ଲୋକ ରାଜରାସ୍ତାକୁ ମଧ୍ୟ ଓହ୍ଲାଇଥିବା ଦେଖିବାକୁ ମିଳିଛି । ଗତକାଲି ମେଫେୟାର ପାଖ ବସ୍ତିଲୋକ ରାସ୍ତା ବନ୍ଦ କରିଥିବା ବେଳେ ବିଡିଏ କଲୋନୀ ଲୋକ ନାଲକୋ ଛକ ଆଗରେ ରାସ୍ତା ବନ୍ଦ କରିଥିବାର ଦୃଶ୍ୟ ନଜରକୁ ଆସିଥିଲା ।
ବାତ୍ୟା ପରେ ଭୁବନେଶ୍ୱରକୁ ଦେଖିଲେ ଜଙ୍ଗଲକୁ ଭଳି ମନେ ହେଉଥିଲା । କାରଣ କେଉଁ କାଳରୁ ରହିଥିବା ବର ଏବଂ ଉସ୍ତ ଗଛକୁ ମଧ୍ୟ ଓପାଡି ଦେଇଛି ‘ଫୋନି’ । ରାତିରେ କରେଣ୍ଟ ନଥିବାରୁ ଲୋକମାନେ ରାସ୍ତାରେ ବୁଲୁଥିବା ମଧ୍ୟ ନଜର ଆସୁଛି । ଘରେ ମଶା ସାଙ୍ଗକୁ ଗରମ ଲୋକଙ୍କ ମୁଣ୍ଡ ବିନ୍ଧା କରିଦେଉଛି । ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ଆସିବ କରେଣ୍ଟ ।