ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ତେବେ ଏହି ବର୍ଷା ଆହୁରି ୫ଦିନ ଲାଗି ରହିବ ବୋଲି ସୂଚନା ମିଳିଛି । ଏବେ ଲଗାଣ ବର୍ଷା ପାଇଁ ଜନଜୀବନ ଅସ୍ତବ୍ୟବସ୍ତ ହୋଇପଡିଛି । ତେବେ ଆଜି ସକାଳୁ ରାଜଧାନୀରେ ଶୁଖିଲା ପାଗ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଖରା ଆରମ୍ଭ ହୋଇଛି । ବାକି କେତେକ ଜିଲ୍ଲାରେ ମେଘୁଆ ପାଗ ରହିଥିବା ଶୁଣିବାକୁ ମିଳୁଛି ।
ଓଡ଼ିଶା ଉପରେ ଲଘୁଚାପ ପ୍ରଭାବ ଜାରି ରହିଛି। ଏଥିସହ ମୌସୁମୀ ବି ସକ୍ରିୟ ରହିଛି। ପ୍ରଭାବରେ ଅଗଷ୍ଟ ୫ ଯାଏଁ ସାରା ଓଡ଼ିଶାରେ ବର୍ଷା ଲାଗି ରହିବ। ସମସ୍ତ ଜିଲ୍ଲାରେ ବର୍ଷା ହେବ। ତେବେ ୩୦ତାରିଖ ପୂର୍ବାହ୍ନ ପର୍ୟ୍ୟନ୍ତ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ତାହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ରେଡ୍-ଆଲର୍ଟ ଜାରି କରାଯାଇଛି।
ଏହି ସମୟ ମଧ୍ୟରେ କଳାହାଣ୍ଡି, ନୂଆପଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାରେ ବି ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ବୌଦ୍ଧ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ବି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ତାହାକୁ ଦୃଷ୍ଟିରେ ରଖି ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ୟେଲୋ ଆଲର୍ଟ ଜାରି କରାଯାଇଛି।
ଅନ୍ୟପକ୍ଷରେ ଗତ ୩୬ ଘଣ୍ଟା ମଧ୍ୟରେ ପୁରୀରେ ୧୬୦.୨ ମିମି ବର୍ଷା ହୋଇଛି। କୋରାପୁଟରେ ୧୩୩, ମାଲକାନଗିରିରେ ୧୦୭.୬, ସୋନପୁରରେ ୭୮.୨, ବାଲେଶ୍ବରରେ ୫୯.୫, କେନ୍ଦୁଝରରେ ୫୪.୬, ହୀରାକୁଦରେ ୫୪.୨, ପାରାଦୀପରେ ୪୬.୬, ଦାରିଙ୍ଗବାଡ଼ିରେ ୪୧ ମିମି ବର୍ଷା ରେକର୍ଡ କରାଯାଇଛି। କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି।
ଲଗାଣ ବର୍ଷା ପାଇଁ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଶୁଖିଲା ଖାଦ୍ୟ ସହ ବିଭିନ୍ନ ସରଞ୍ଜାମ ଯୋଗାଡ଼ କରି ରଖିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଏହା ସହ ଗର୍ଭବତୀ ଓ ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ମଧ୍ୟ କୁହାଯାଇଛି । ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ରହିଛି ।